ରିପୋର୍ଟ କାର୍ଡ / କଟକ
ଓଡ଼ିଶା ରିୟଲ୍ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଂଗରେ ରହିଥିବା ସମସ୍ୟାକୁ ନେଇ ଦାୟର ମାମଲାରେ ଓରେରା ତରଫରୁ ସତ୍ୟପାଠ ଦାଖଲ କରାଯାଇଛି। ଏହି ସତ୍ୟପାଠରେ କୁହାଯାଇଛି ଯେ ରାଜ୍ୟ ବ୍ୟାପୀ ମୋଟ ୧୨୮ଟି ନିର୍ଦ୍ଦେଶ କାର୍ଯ୍ୟକାରୀ ମାମଲାକୁ ଓରେରା ପକ୍ଷରୁ ଓପିଡିଆର୍ କର୍ତ୍ତୃପକ୍ଷ ତଥା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ପଠାଯାଇଛି। ଜିଲ୍ଲାପାଳମାନେ ସାର୍ଟିଫିକେଟ୍ ମାମଲା ପ୍ରକ୍ରିୟା ଆରମ୍ଭ ପାଇଁ ସେମାନଙ୍କ ଅଧୀନସ୍ଥ ଅଧିକାରୀଙ୍କୁ ଏହି ମାମଲା ବଣ୍ଟନ କରିଥାନ୍ତି। ଭୁବନେଶ୍ୱର ଏଡିଏମ୍ଙ୍କ ନିକଟରେ ସର୍ବାଧିକ ୫୩ଟି ଏପରି ନିର୍ଦ୍ଦେଶ କାର୍ଯ୍ୟକାରୀ ମାମଲା ବିଚାରାଧୀନ ରହିଛି। ମୋଟ ୧୫୩ଟି ମାମଲାରେ ଜରିମାନା ବାବଦରେ ୧୯ କୋଟି ୮୭ ଲକ୍ଷ ୬ ହଜାର ୫ଶହ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ରହିଥିଲା। ୨୦୨୩, ମାର୍ଚ୍ଚ ୨୦ ସୁଦ୍ଧା ୪୦ ଲକ୍ଷ ୪ ହଜାର ଟଙ୍କା ଆଦାୟ କରାଯାଇଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଆସନ୍ତା ସେପ୍ଟେମ୍ବର୍ ୧୪ରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବିମଳେନ୍ଦୁ ପ୍ରଧାନଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ଓରେରାରେ ରୁଜୁ ମାମଲାରେ ପ୍ରଦାନ କରାଯାଉଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଂଗରେ ନିଷ୍କ୍ରିୟତା ଅଭିଯୋଗ ହୋଇଛି। ନିଜ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଓରେରାର ଆଇନ ଅନୁସାରେ କ୍ଷମତା ରହିଛି। କିନ୍ତୁ ଏହି କ୍ଷମତା ଓରେରା ପ୍ରୟୋଗ ନ କରି ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଂଗକୁ ସିଭିଲ୍ କୋର୍ଟକୁ ପଠାଇ ଦେଉଛନ୍ତି ବୋଲି ହାଇକୋର୍ଟରେ ଦାୟର ମାମଲାରେ ଦର୍ଶାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ମୋହିତ ଅଗ୍ରୱାଲ୍ ଓ ଓରେରା ପକ୍ଷରୁ ବିଭୁ ପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..