ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନ୍ୟାସନାଲ ହେରାଲ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ତରଫରୁ ସୋମବାର କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁୁଲ ଗାନ୍ଧୀଙ୍କୁ ନୋଟିସ ଇସ୍ୟୁ କରାଯାଇଛି। ସୂଚନାଯୋଗ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତରଫରୁ ସୋନିଆ, ରାହୁଲଙ୍କ ସମେତ ଏକାଧିକ ବ୍ୟକ୍ତି ଓ ସଂସ୍ଥା ବିରୋଧରେ ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି। ତେବେ କିଛିଦିନ ପୂର୍ବେ ଦିଲ୍ଲୀର ରାଉଜ୍ ଆଭିନ୍ୟୁ କୋର୍ଟ ଇଡି ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍କୁ ବିଚାର ପାଇଁ ଗ୍ରହଣ କରିନଥିଲେ। ଉକ୍ତ ମାମଲାରେ କୌଣସି ଏତଲା ଦାଏର ହୋଇନଥିବାବେଳେ ଜଣେ ବ୍ୟକ୍ତିଙ୍କ (ସୁବ୍ରମଣ୍ୟମ ସ୍ବାମୀ) ଅଭିଯୋଗକୁ ଆଧାର କରି ଶୁଣାଣି ସମ୍ଭବ ନୁହେଁ ବୋଲି ବିଚାରପତି ମତବ୍ୟକ୍ତ କରିଥିଲେ। ଏହା ସୋନିଆ ଓ ରାହୁଲଙ୍କୁ ଆଶ୍ବସ୍ତ କରିଥିଲା।ତେବେ ନିମ୍ନ ଅଦାଲତଙ୍କ ଏହି ନିଷ୍ପତ୍ତି ବିରୋଧରେ ଇଡି ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର କରାଯାଇଥିଲା। ସୋମବାର ଶୁଣାଣି ସମୟରେ ଇଡି ତରଫରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତିି ଦର୍ଶାଇଥିଲେ ଯେ ନିମ୍ନ ଅଦାଲତଙ୍କ ଏତାଦୃଶ ନିଷ୍ପତ୍ତି ଅନ୍ୟ ମାମଲାଗୁଡିକ ପ୍ରଭାବିତ କରିବ। ତେଣୁ ନିମ୍ନ ଅଦାଲତଙ୍କ ଏହି ରାୟକୁ ଖାରଜ କରାଯିବା ଉପରେ ମେହେଟ୍ଟା ଗୁରୁତ୍ବାରୋପ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୬ ମାର୍ଚ୍ଚ ୧୨କୁ ଧାର୍ଯ୍ୟ କରାଯାଇଛି।






More Stories
ବୋମା ବିସ୍ଫୋରଣରେ ରୁଷ୍ ଜେନେରାଲ ମୃତ……
ବାଂଲାଦେଶରେ ଥମୁନି ହିଂସା,ଆଉ ଜଣେ ନେତାଙ୍କୁ ଗୁଳି…..
ନିଜକୁ ଗୁଳି କଲେ ପୂର୍ବତନ ଆଇଜି…..