ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଇନଫୋସିଟି ଥାନାରେ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ହାଜର ହୋଇଛନ୍ତି। ଏଡିସିପି, ଏସିପି ଏବଂ ଆଇଓଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପଚରାଉଚୁରା କରାଯାଇଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ ଗତ ଫେବୃଆରୀ ୨୮ରେ ଆନନ୍ଦ ଟପ୍ପୋଙ୍କ ମୃତଦେହ ଇନଫୋସିଟି ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ମିଳିଥିଲା । ଏହି ହତ୍ୟା ମାମଲାରେ ହକି ଖେଳାଳି ତଥା ଡିଏସ୍ପି ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ଅଭିଯୋଗ ଆଣି ମୃତକଙ୍କ ବାପା ଇନ୍ଫୋସିଟି ଥାନାରେ ଏତଲା ଦେଇଥିଲେ। ମାତ୍ର ଇନଫୋସିଟି ଥାନା ଆଇଆଇସି ପ୍ରଥମେ ଏତଲା ରଖି ନଥିଲେ। ଏହାପରେ ସେ ଏତଲାରୁ ବୀରେନ୍ଦ୍ରଙ୍କ ନା କାଟିବାକୁ ମୃତ ଆନନ୍ଦଙ୍କ ପିତାଙ୍କୁ କହିଥିବା ଅଭିଯୋଗ ହୋଇଥିଲା। ଏପରିକି ଏହି ଘଟଣାରେ ଆଇଆଇସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ମୃତ ଆନନ୍ଦଙ୍କ ପିତା ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ଘଟଣାରେ ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ଅନିୟମିତତା ଅଭିଯୋଗରେ ଭୁବନେଶ୍ବର ଇନଫୋସିଟି ଥାନା ଅଧିକାରୀ ସମିତା ମିଶ୍ରଙ୍କ କାର୍ଯ୍ୟକୁ ନେଇ ହାଇକୋର୍ଟ ଶୁକ୍ରବାର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଆଇଆଇସିଙ୍କୁ ଏକ ବର୍ଷ ପାଇଁ କୌଣସି ଫିଲ୍ଡ ପୋଷ୍ଟିଂ ଅର୍ଥାତ୍ ଥାନାରେ ଦାୟିତ୍ବ ନ ଦେବାକୁ ପୋଲିସ କମିସନରଙ୍କୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଥାନାକୁ ଆସୁଥିବା ଲୋକଙ୍କୁ କିପରି ବ୍ୟବହାର କରିବେ, ମାମଲା ପ୍ରତି କିପରି ସମ୍ବେଦନଶୀଳ ହେବେ ସେ ନେଇ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀକୁ ତାଲିମ ପାଇଁ ପଠାଇବାକୁ କହିଥିଲେ। ଏଥିସହିତ ଭୁବନେଶ୍ବର ଡିସିପି ତଦନ୍ତର ତଦାରଖ କରିବେ। ମାମଲାର ତଦନ୍ତ କରି ଚୂଡାନ୍ତ ରିପୋର୍ଟ ତିନି ମାସ ଭିତରେ ଦାଖଲ କରିବାକୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….