Report Card Odisha

| Daily Odia News

ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ…..

ରିପୋର୍ଟ କାର୍ଡ / ମୟୂରଭଞ୍ଜ

ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବାଲିଯୋଡା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରି ନାହିଁ। ବାଲିଯୋଡା ଗ୍ରାମର ଶୁକଦେବ ସିଂ ୨୦ ବର୍ଷ ତଳେ ଶ୍ୟାମାଖୁଣ୍ଟା ଅଞ୍ଚଳର କୁନିମଣି ସିଂ ଙ୍କୁ ବିବାହ କରିଥିଲେ। ତେବେ ନିଶାଖାଇ ଅଧିକାଂଶ ସମୟରେ ଛୋଟ ଛୋଟ କଥାକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥାଏ ବୋଲି ଗ୍ରାମବାସୀ ଲୋକେ କହିଛନ୍ତି। ଗତକାଲି ଦୁହେଁ କୌଣସି କାମରେ ବାହାରକୁ ଯାଇ ରାତିରେ ଘରକୁ ଫେରୁଥିବା ବେଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବାର ଅନୁମାନ କରାଯାଉଛି। ଘର ଠାରୁ କିଛି ଦୂରରେ କୁନିମଣିଙ୍କୁ ହତ୍ୟା କରି ଘରେ ପହଞ୍ଚିଥିଲା ଶୁକଦେବ। ତେବେ ଅପରାହ୍ନରେ ଏ ଘଟଣା ଗ୍ରାମଲୋକେ ଜାଣିବା ପରେ ଭୟରେ ଶୁକଦେବ ଘରୁ ଫେରାର ହୋଇ ଯାଇଥିଲା। ପୋଲିସ ଖବର ପାଇ ଗତକାଲି ସନ୍ଧ୍ୟାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ କୁନିମଣିଙ୍କ ବେକ ଓ ଶରୀରର ଅନେକ ସ୍ଥାନରେ ଦାଗ ଥିବାର ଆଇଆଇସି ସୁଜାତା ଖମାରୀ କହିଛନ୍ତି। ଭଉଣୀକୁ ହତ୍ୟା କରାଯାଇଛି ବୋଲି କୁନିମଣିଙ୍କ ଭାଇ ଗୁରା ସିଂଙ୍କ ଅଭିଯୋଗ କ୍ରମେ ୨୪୧/୨୪ ରେ ଏକ ମାମଲା ରୁଜୁ ହୋଇଛି। ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କରାଯାଇଥିବା ଜଣାଯାଇଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି। ଆଜି ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବେ ବୋଲି ଜଣାଯାଇଛି।

Breaking News