Report Card Odisha

| Daily Odia News

ଦେଶକୁ ଗୋଲାମୀ ମଧ୍ୟକୁ ଠେଲିଦେବାକୁ ଷଡ଼୍‌ଯନ୍ତ୍ର କରୁଛି ଇଣ୍ଡିଆ ମେଣ୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବି‌ରୋଧୀ ଇଣ୍ଡିଆ ମେଣ୍ଟ ଉପରେ ଆକ୍ରମଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଇଣ୍ଡିଆ‌ ମେଣ୍ଟ ସନାତନ ଧର୍ମକୁ ଶେଷ କରିଦେବାକୁ ଚାହେଁ ଏବଂ ଦେଶକୁ ୧ ହଜାର ବର୍ଷ ପାଇଁ ଗୋଲାମୀ ମଧ୍ୟକୁ ଠେଲିଦେବାକୁ ଷଡ଼୍‌ଯନ୍ତ୍ର କରୁଛି। ମଧ୍ୟପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଟିପ୍ପଣୀ ଦେଇଛନ୍ତି। ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ’ ଟିପ୍ପଣୀକୁ ନେଇ ବିବାଦ ଲାଗି ରହିଥିବାବେଳେ ମୋଦୀ ପ୍ରଥମ ଥର ପାଇଁ ସର୍ବସାଧାରଣରେ ସନାତନ ଧର୍ମ ପ୍ରସଙ୍ଗରେ ଟିପ୍ପଣୀ ରଖିଛନ୍ତି। ମୋଦୀ କହିଛନ୍ତି, ନିକଟରେ ସେମାନେ ମୁମ୍ବାଇରେ ଏକ ବୈଠକ କରିଥିଲେ ଏବଂ ମୁଁ ଭାବୁଛି ଯେ ସେମାନେ ‘ଘମଣ୍ଡିଆ ମେଣ୍ଟ’କୁ କେମିତି ପରିଚାଳନା କରିବେ ସେନେଇ ରଣନୀତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ସେମାନେ ମଧ୍ୟ ଏକ ଗୁପ୍ତ ଏଜେଣ୍ଡା ଉପରେ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ରଣନୀତି ହେଉଛି ଭାରତୀୟ ସଂସ୍କୃତି ଉପରେ ଆକ୍ରମଣ। ସେମାନେ ଭାରତୀୟଙ୍କ ବିଶ୍ବାସ ଉପରେ ଆକ୍ରମଣ ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ହଜାର ହଜାର ବର୍ଷ ପାଇଁ ଦେଶକୁ ଏକତ୍ରିତ କରିଥିବା ଚିନ୍ତାଧାରା, ମୂଲ୍ୟବୋଧ ଏବଂ ପରମ୍ପରାକୁ ସେମାନେ ଶେଷ କରିଦେବାକୁ ଚାହାନ୍ତି। ଭାରତର ସ୍ବାଧୀନତା ସଂଗ୍ରାମୀ ଏବଂ ସନାତନ ସଂସ୍କୃତି ମଧ୍ୟରେ ଥିବା ସଂପର୍କକୁ ଦର୍ଶାଇ ମୋଦୀ କହିଛନ୍ତି , ଦେବୀ ଅହଲ୍ୟାବାଇ ହୋଲକରଙ୍କୁ ଅନୁପ୍ରାଣିତ କରିଥିବା ସନାତନ ଧର୍ମ ଏବଂ ସଂସ୍କୃତିକୁ ଶେଷ କରିବାପାଇଁ ଘମଣ୍ଡିୟା ମେଣ୍ଟ ନିଷ୍ପତ୍ତି ନେଇଛି। ‌ତେବେ ସନାତନର ଶକ୍ତି ବଳରେ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଇ ବ୍ରିଟିସରଙ୍କୁ ଚ୍ୟା‌ଲେଂଜ କରିଥିଲେ ଏବଂ ଝାନ୍‌ସୀ ଛାଡ଼ିବେନାହିଁ ବୋଲି କହିଥିଲେ। ମୋଦୀ କହିଛନ୍ତି, ମହାତ୍ମା ଗାନ୍ଧୀ ମଧ୍ୟ ସନାତନ ଧର୍ମକୁ ତାଙ୍କ ଜୀବନରେ ଗୁରୁତ୍ବପୂର୍ଣ୍ଣ ବିବେଚନା କରିଥିଲେ। ଜୀବନ ସାରା ସେ ପ୍ରଭୁ ଶ୍ରୀରାମଙ୍କ ଦ୍ବାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ତାଙ୍କର ଶେଷ ଶବ୍ଦ ଥିଲା ‘ହେ ରାମ୍‌’। ମୋଦୀ କହିଛନ୍ତି, ଆଗାମୀ ଦିନରେ ଘମଣ୍ଡିଆ ମେଣ୍ଟ ଆମ ଉପରେ ସେମାନଙ୍କ ଆକ୍ରମଣ ବଢ଼ାଇବେ। ପ୍ରତ୍ୟେକ ସନାତନୀ, ଦେଶକୁ ଭଲପାଉଥିବା ପ୍ରତ୍ୟେକ ନାଗରିକଙ୍କୁ ଏବେ ସତର୍କ ହେବାପାଇଁ ପଡ଼ିବ। ଏହି ମେଣ୍ଟ ନେତାମାନେ ସନାତନକୁ ଶେଷ କରି ଦେଶକୁ ୧ ହଜାର ବର୍ଷ ଗୋଲାମୀ ମଧ୍ୟକୁ ଠେଲି ଦେବାକୁ ଚାହାନ୍ତି। କିନ୍ତୁ ଆମକୁ ମିଳିତ ଭାବେ ଏଭଳି ଶକ୍ତିକୁ ଶେଷ କରିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି।

 

Breaking News