Report Card Odisha

| Daily Odia News

ନିର୍ବାଚନପୂର୍ବରୁ ବ୍ୟାଙ୍କ୍ ଆକାଉଣ୍ଟକୁ ଅଚଳ,୨୧୦ କୋଟି ଟ୍ୟାକ୍ସ :କଂଗ୍ରେସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଳୀ

“ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବାର ସପ୍ତାହେ ପୂର୍ବରୁ ଆମ ବ୍ୟାଙ୍କ୍ ଆକାଉଣ୍ଟକୁ ଅଚଳ କରି ଦିଆଯାଇଛି। ଆୟକର ବିଭାଗ ୟୁଥ୍ କଂଗ୍ରେସ ସମେତ ଦଳର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦେବା ସହ ଆମ ଉପରେ ୨୧୦ କୋଟି ଟଙ୍କା ଟ୍ୟାକ୍ସ ପକାଇଛି।” ସାମ୍ବାଦିକ ସମ୍ମିଳନୀ କରି ଏପରି ସଙ୍ଗୀନ ଅଭିଯୋଗ କରିଛି କଂଗ୍ରେସ। ଦଳର କୋଷାଧ୍ୟକ୍ଷ ଅଜୟ ମାକେନ ଏକ ସାମ୍ବାଦିକ ସମ୍ମିଳନୀରେ ଇନକମ ଟ୍ୟାକ୍ସର ଏପରି ପଦକ୍ଷେପ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଚିନ୍ତାରେ ପକାଇଦେବା ଭଳି କହିଛନ୍ତି। ନିର୍ବାଚନ ପ୍ରସ୍ତୁତିରେ ବାଧା ଦେବା ପାଇଁ ଏପରି କରାଯାଇଥିବା କହିଛନ୍ତି ମାକେନ। ସେ ଆହୁରି କହିଛନ୍ତି ଯେ, ଗଣତନ୍ତ୍ରରେ ଏହିପରି ଘଟିବା ଆଦୌ ଉଚିତ ନୁହେଁ, ଯେଉଁଠାରେ କେବଳ ଗୋଟିଏ ଦଳର ମନମାନି ଚାଲିଛି, ମୁଖ୍ୟ ବିରୋଧୀ ଦଳକୁ ଏହି ଉପାୟରେ ଶିକାର କରାଯାଇଛି। ଆମେ ନ୍ୟାୟପାଳିକା, ଗଣମାଧ୍ୟମ ଏବଂ ଲୋକଙ୍କଠାରୁ ନ୍ୟାୟ ଚାହୁଁଛୁ। ଆମେ ଆୟକର ଆବେଦନ ଟ୍ରିବ୍ୟୁନାଲରେ ଏକ ପିଟିସନ ଦାଖଲ କରିଛୁ, ସେଠାରେ ଶୁଣାଣି ଚାଲିଛି… ଶୁଣାଣି ପୂର୍ବରୁ ପ୍ରକାଶ କରିବା ଉଚିତ ନୁହେଁ। ଗତକାଲି ଆମେ ଜାଣିବାକୁ ପାଇଲୁ ଯେ, ଆମ ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଛି। ଆମ ଓକିଲ ବିବେକ ତନଖାଙ୍କ କହିବା ଅନୁସାରେ, ମୋଟ ୪ଟି ଆକାଉଣ୍ଟ ଅଚଳ ହୋଇଯାଇଛି। ଇନକମ୍ ଟ୍ୟାକ୍ସରେ ଟଙ୍କା ଡିପୋଜିଟ୍ ନ କରିବା ପର୍ଯ୍ୟନ୍ତ କୌଣସି ଚେକ୍ ଗ୍ରହଣ ନକରିବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମାକେନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୦୧୮-୧୯ ନିର୍ବାଚନ ବର୍ଷରେ ଆୟକର ରିଟର୍ଣ୍ଣ ୪୦-୪୫ ଦିନ ବିଳମ୍ବ ହୋଇଥିଲା, ଏହାକୁ ନେଇ ଆୟକର ବିଭାଗ ୨୧୦ କୋଟି ଟଙ୍କାକର ରିକଭରୀ ଦେବାକୁ ଦାବି କରିଛି। ବର୍ତ୍ତମାନ ଆମ ପାଖରେ ଖର୍ଚ୍ଚ କରିବାକୁ ଗୋଟେ ଟଙ୍କା ବି ନାହିଁ। ବିଦ୍ୟୁତ୍ ବିଲ୍, କର୍ମଚାରୀଙ୍କ ଦରମା, ଆମର ନ୍ୟାୟ ଯାତ୍ରା, ସବୁକିଛି ପ୍ରଭାବିତ ହୋଇଛି। ଆଗକୁ ନିର୍ବାଚନ ଥିବାବେଳେ ଆୟକର ବିଭାଗର ଏପରି କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି ହେଉଛି ବୋଲି କଂଗ୍ରେସ ନେତା ତଥା ଦଳର କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି।

Breaking News