Report Card Odisha

| Daily Odia News

ଅଶୋକ ମୀନାଙ୍କୁ କେନ୍ଦ୍ରରେ ନିଯୁକ୍ତି,ଉଷାଙ୍କୁ ପଦୋନ୍ନତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି। ଏହାସହିତ ଆଇଏଏସ୍ ଉଷା ପାଢ଼ୀଙ୍କୁ ମଧ୍ୟ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି ବୁଧବାର ୧୯୯୩ ବ୍ୟାଚ୍ ଆଇଏଏସ୍ ତଥା ପଂଚାୟତିରାଜ ସଚିବ ଶ୍ରୀ ମୀନାଙ୍କୁ କେନ୍ଦ୍ର ସରକାରରେ ଅତିରିକ୍ତ ସଚିବ ପାହ୍ୟାରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ମୀନା ଅଗଷ୍ଟ ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ି ନିଜର ଏହି ନୂଆ ଦାୟିତ୍ୱ ସମ୍ଭାଳିବେ। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢ଼ୀଙ୍କୁ ଯୁଗ୍ମ ସଚିବରୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଶ୍ରୀମତୀ ପାଢ଼ୀ ଏବେ କେନ୍ଦ୍ର ସରକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଆଇଏଏସ୍ ସ୍ୱାମୀ ଅରବିନ୍ଦ ପାଢ଼ୀ ଓଡ଼ିଶା ଫେରି ରାଜ୍ୟ କୃଷି ସଚିବ ଦାୟିତ୍ୱ ତୁଲାଉ ଥିବାରୁ ଶ୍ରୀମତୀ ପାଢ଼ୀ ମଧ୍ୟ ଓଡ଼ିଶା ଫେରିବେ ବୋଲି ଚର୍ଚ୍ଚା ହେଉଛି। ମାତ୍ର ଆଜିର ପଦୋନ୍ନତି ପରେ ତାଙ୍କ ଓଡ଼ିଶା ଫେରିବା ଚିତ୍ର ଅସ୍ପଷ୍ଟ ରହିଛି। ସେହିପରି, ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ସଚିବ ୧୯୯୭ ବ୍ୟାଚ୍ ଆଇଏଫଏସ୍ ଆର ରଘୁପ୍ରସାଦଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଥିବାରୁ ସେ ଗତ ସପ୍ତାହରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଓ ତାଙ୍କ ପତ୍ନୀ ଆଇଏଏସ୍ ରଞ୍ଜନା ଚୋପ୍ରା ଓ ଅର୍ଥ ସଚିବ ବିଶାଳ ଦେବ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯିବାର ସମ୍ଭାବନା ରହିଛି । ତେବେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆର କେ ଶର୍ମା ଅସୁସ୍ଥ ଥିବାରୁ ଏବେ ସରକାରୀ କାର୍ଯ୍ୟରେ ଯୋଗ ଦେବା ସମ୍ଭାବନା କ୍ଷୀଣ ଥିବାବେଳେ ତାଙ୍କ ପତ୍ନୀ ଆଇଏଏସ୍ ମୋନା ଶର୍ମା ସ୍ୱେଚ୍ଛାକୃତ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ଶ୍ରୀମତୀ ଶର୍ମା ଏବେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅଛନ୍ତି ଓ ସେ ୨୦୨୩ ମାର୍ଚ୍ଚରେ ସରକାରୀ ଚାକିରୀରୁ ଅବସର ନେବେ। ତେଣୁ ଅଧିକ ସଂଖ୍ୟକ ଆଇଏଏସଙ୍କୁ କେନ୍ଦ୍ରକୁ ଡେପୁଟେସନରେ ଯିବାପାଇଁ ରାଜ୍ୟ ସରକାର ଅନୁମତି ଦେଇ ନପାରନ୍ତି ବୋଲି ଚର୍ଚ୍ଚା। ସୂଚନାଯୋଗ୍ୟ,ଓଡ଼ିଶା କ୍ୟାଡ଼ରର ୨ଜଣ ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢ଼ୀ ଓ ଏସ୍ ଅଶ୍ୱଥି ଓଡ଼ିଶା ଫେରିବା ପରେ ରାଜ୍ୟ ସରକାର ତାଙ୍କୁ ଯଥାକ୍ରମେ କୃଷି ସଚିବ ଓ ସ୍କୁଲ ଓ ଗଣଶିକ୍ଷା ସଚିବ ଭାବେ ଅବସ୍ଥାପିତ କରିଛନ୍ତି।

 

Breaking News