ରିପୋର୍ଟ କାର୍ଡ / ବାଲେଶ୍ୱର
ବାଲେଶ୍ବର ଜିଲ୍ଲା,ବାଲିଆପାଳ ବ୍ଲକ କୁଣ୍ଡୁଳି ପଞ୍ଚାୟତରେ ଜାଲ ଟିପ ଚିହ୍ନ ଦେଇ ଭତ୍ତା ଟଙ୍କା ଆତ୍ମସାତ କରିଆସୁଥିବା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ପିଇଓ)ଙ୍କ କାରନାମା ଧରାପଡ଼ିବା ପରେ ଭୁଲ ମାଗି ହିତାଧିକାରୀଙ୍କୁ ଟଙ୍କା ଫେରାଇଛନ୍ତି। ସମ୍ପୃକ୍ତ ପିଇଓ ଜଣେ ବିଧବା ମହିଳାଙ୍କର ୨୮ ହଜାର ୫ ଶହ ଟଙ୍କାରୁ ୧୦ ହଜାର ଟଙ୍କା ଏବଂ ଅନ୍ୟ ଜଣେ ଦିବ୍ୟାଙ୍ଗ ମହିଳାଙ୍କର ୩ ହଜାର ୬ ଶହ ଟଙ୍କା ଫେରାଇଛନ୍ତି। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ତଦନ୍ତ ପରେ ପିଇଓ ଜଣଙ୍କ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।
ଅଭିଯୋଗ ଅନୁସାରେ, କୁଣ୍ଡଳି ପଞ୍ଚାୟତର ଦୁଇ ଜଣ ମହିଳା ହିତାଧିକାରୀ ନେପୁରୀ ମଲିକ ଓ ସ୍ନେହଲତା ମହାପାତ୍ରଙ୍କ ଭତ୍ତା ଟଙ୍କା ପିଇଓ ଗୌତମ ସେଠୀ ଦୀର୍ଘ ଦିନ ଧରି ଆତ୍ମସାତ କରିଆସୁଥିଲେ। ହିତାଧିକାରୀ ବାରମ୍ୱାର ଭତ୍ତା ପାଇଁ ପିଇଓ ଗୌତମ ସେଠୀଙ୍କୁ ପଚାରିଲେ ମଧ୍ୟ ସେ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲେ। ଉଭୟ ହିତାଧିକାରୀ ବିଜେପି ଲଙ୍ଗଳେଶ୍ବର ମଣ୍ଡଳ ସଭାପତି ମାନସ ମହାନ୍ତିଙ୍କ ସହଯୋଗରେ ସୂଚନା ଅଧିକାର ଆଇନ ବଳରେ ଭତ୍ତା ସମ୍ପର୍କିତ ତଥ୍ୟ ମାଗିଥିଲେ। ଉକ୍ତ ତଥ୍ୟରେ ଉଭୟ ହିତାଧିକାରୀଙ୍କ ନାମ ଭତ୍ତା ତାଲିକାରେ ଥିବା ଓ ସେମାନଙ୍କ ଟଙ୍କା ଆତ୍ମସାତ ହେଉଥିବା ଜଣାପଡ଼ିଥିଲା। ଏଭଳି ସାଂଘାତିକ ଅଭିଯୋଗ ପାଇ ସାଂସଦ ଶ୍ରୀ ଷଡ଼ଙ୍ଗୀ ଘଟଣା ସମ୍ପର୍କରେ ଖୋଳତାଡ଼ କରିଥିଲେ। ଅଭିଯୋଗ ସତ୍ୟ ବୋଲି ଜାଣିବା ପରେ ବାଲିଆପାଳ ବିଡିଓ ରାଧାରଞ୍ଜନ ଦାସ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରାର୍ଥସାରଥୀ ସାହୁ, ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ, ଏଇ ଅମିତ କୁମାର ମୁର୍ମୁଙ୍କ ସହିତ ଅନ୍ୟ କର୍ମଚାରୀଙ୍କୁ ବାଲେଶ୍ବର ସର୍କିଟ ହାଉସକୁ ଡକାଇ ସମ୍ପୃକ୍ତ କୁଣ୍ଡୁଳି ପଞ୍ଚାୟତର ପିଇଓଙ୍କ କଳା କାରନାମା ବିଷୟରେ ରହସ୍ୟ ଉନ୍ମୋଚନ କରିଥିଲେ। ସମ୍ପୃକ୍ତ ପିଇଓ ଦୋଷ ସ୍ବୀକାର କରି ସାଂସଦ ଶ୍ରୀ ଷଡ଼ଙ୍ଗୀ, ବାଲିଆପାଳ ବିଡିଓ ଏବଂ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଦୁଇ ଜଣ ହିତାଧିକାରୀଙ୍କ ଭତ୍ତା ଟଙ୍କା ଫେରସ୍ତ କରିଥିଲେ। ନେପୁରୀଙ୍କ ବାକି ଥିବା ୩ ହଜାର ୬ ଶହ ଟଙ୍କା ଦେଇଥିବାବେଳେ ସ୍ନେହଲତାଙ୍କ ବଳକା ୧୮ ହଜାର ୫ ଶହ ଟଙ୍କା ଆସନ୍ତା ୭ ଦିନ ମଧ୍ୟରେ ଦେବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ।






More Stories
ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ……
ଆଜି ବି ବିଧାନସଭା ସରଗରମ ହେବ…..
କୋଣାର୍କ ଉତ୍ସବ ଆରମ୍ଭ…..