Report Card Odisha

| Daily Odia News

ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ ବିକାଶ କେନ୍ଦ୍ର ଲୋକାର୍ପିତ…..

ରିପୋର୍ଟ କାର୍ଡ / ରାଇରଙ୍ଗପୁର

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ କୌଶଳ ବିକାଶ କେନ୍ଦ୍ରର ଆଭାସି ମାଧ୍ୟମରେ ଉଦଘାଟନ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସଭାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟମିତା ଏବଂ ଶିକ୍ଷା ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ବତନ୍ତ୍ର ଦାୟିତ୍ବ) ଜୟନ୍ତ ଚୌଧୁରୀ ଏବଂ ଇଗ୍ନୋର କୁଳପତି ପ୍ରଫେସର ଉମା କଞ୍ଜିଲାଲ ପ୍ରମୁଖ ମଞ୍ଚାସୀନ ଥିଲେ। ରାଇରଙ୍ଗପୁରରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ) ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ରର ଉଦଘାଟନ ଭାରତର ଶିକ୍ଷା ଓ ଦକ୍ଷତା ବିକାଶ ଇତିହାସରେ ଏକ ଗୁରୁତ୍ବପୂର୍ଣ ପଦକ୍ଷେପ ଭାବେ ଗଣ୍ୟ ହେବ। ମୟୂରଭଞ୍ଜ ଜିଲାର ଆଦିବାସୀପ୍ରଧାନ ଅଞ୍ଚଳ ରାଇରଙ୍ଗପୁରରେ ଏହି କେନ୍ଦ୍ର ସ୍ଥାପନ ହେବା ଦ୍ବାରା ସ୍ଥାନୀୟ ଯୁବକ-ଯୁବତୀ, କାର୍ଯ୍ୟରତ ବ୍ୟକ୍ତି, ଗୃହିଣୀ ଓ ଶିକ୍ଷାରୁ ବଞ୍ଚିତ ଲୋକମାନଙ୍କ ପାଇଁ ନୂଆ ସମ୍ଭାବନାର ଦ୍ବାର ଖୋଲିଛି । ଏହା ମାଧ୍ୟମରେ ମୁକ୍ତ ଓ ଦୂରଶିକ୍ଷା ପ୍ରଣାଳୀ ଦ୍ବାରା ଉଚ୍ଚଶିକ୍ଷା ସହିତ, ଦକ୍ଷତାମୂଳକ ତାଲିମ ଲୋକମାନଙ୍କ ଦ୍ବାରା ସହଜରେ ଗ୍ରହଣ କରାଯିବା ସମ୍ଭବ ହେବ ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି। ଏହା ସହ ସେ କହିଛନ୍ତି ଯେ ଶିକ୍ଷା ହେଉଛି ଏକ ସଶକ୍ତ ଓ ସମାବେଶୀ ରାଷ୍ଟ୍ର ଗଠନର ମୂଳ ଆଧାର ।ଦେଶର ଦୂରାନ୍ତର ଓ ଆଦିବାସୀ ଅଞ୍ଚଳରେ ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ସୁବିଧା ପହଞ୍ଚିବା ନିମନ୍ତେ ଇଗ୍ନୋ ପରି ପ୍ରତିଷ୍ଠାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରୁଛି । ସେ ଡିଜିଟାଲ୍ ଶିକ୍ଷା, ଅନଲାଇନ୍ ପାଠ୍ୟକ୍ରମ ଏବଂ କୌଶଳ ତାଲିମର ଆବଶ୍ୟକ‌ତା ଉପରେ ଜୋର ଦେଇ କହିଥିଲେ ଯେ ଏହି ପ୍ରକାର ଶିକ୍ଷା ପ୍ରଣାଳୀ ଯୁବ ପିଢ଼ିକୁ ଆତ୍ମନିର୍ଭର କରିବାରେ ସହାୟକ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଶିକ୍ଷାକୁ ଅଧିକ ସୁଗମ, ସହଜ ଏବଂ ଦକ୍ଷତାଭିମୁଖୀ କରିବା ହେଉଛି ସରକାରଙ୍କ ମୂଳ ଲକ୍ଷ୍ୟ । ରାଇରଙ୍ଗପୁରରେ ଅବସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ର ସ୍ଥାପନା ଏହି ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବାରେ ଏକ ଗୁରୁତ୍ବପୂର୍ଣ ପଦକ୍ଷେପ।କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଶିକ୍ଷା ବିଭାଗର ରାଷ୍ଟ୍ର (ସ୍ବତନ୍ତ୍ର ଦାୟିତ୍ବ) ଜୟନ୍ତ ଚୌଧୁରୀ ବୈଷୟିକ ଜ୍ଞାନକୌଶଳର ଭୂମିକା ଉପରେ ଆଲୋକପାତ କରିଥିଲେ ।ଇଗ୍ନୋ ଉପକୁଳପତି ପ୍ରଫେସର ଉମା କଞ୍ଜିଲାଲ କହିଥିଲେ, ରାଇରଙ୍ଗପୁରରେ ନୂଆ ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ର ସ୍ଥାପନା ଦ୍ବାରା ମୟୂରଭଞ୍ଜ ଜିଲା ସମେତ କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲା ଛାତ୍ରଛାତ୍ରୀମାନେ ଡିଗ୍ରୀ, ଡିପ୍ଲୋମା, ସର୍ଟିଫିକେଟ୍ କୋର୍ସ ସହିତ ସହିତ କୃଷି, ଡିଜିଟାଲ୍ ପ୍ରଯୁକ୍ତି, ସ୍ବାସ୍ଥ୍ୟ, ଉଦ୍ୟୋଗିତା ଇତ୍ୟାଦି କ୍ଷେତ୍ରରେ ଦକ୍ଷତାମୂଳକ ତାଲିମ ଗ୍ରହଣ କରିପାରିବେ । ଏହି କେନ୍ଦ୍ର ଅଞ୍ଚଳୀୟ ଯୁବଶକ୍ତିକୁ ସଶକ୍ତ କରିବା ସହ ଜାତୀୟ ଶିକ୍ଷା ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି ଡ଼. ମନୋଜ କୁମାର ଦାଶ, ବରିଷ୍ଟ ଆଞ୍ଚଳିକ ନିର୍ଦ୍ଦେଶକ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ) ଆଞ୍ଚଳିକ କେନ୍ଦ୍ର, ରାଇରଙ୍ଗପୁର କହିଛନ୍ତି । ରାଇରଙ୍ଗପୁର ଇଗ୍ନୋ ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ନିର୍ଦେଶକ ଡ. ମନୋଜ ଦାଶଙ୍କ ତତ୍ତ୍ବାବଧାନରେ ରାଇରଙ୍ଗପୁର ପୌରପାଳିକା କଲ୍ୟାଣ ମଣ୍ଡପଠାରେ ଆୟୋଜିତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ , ସମ୍ମାନିତ ଅତିଥି ଭାବେ ସାଂସଦ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସାରସକଣା ବିଧାୟକ ଭାଦବ ହାଁସଦା, ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ।ଏହି ଦୁଇ କେନ୍ଦ୍ର ଉଦଘାଟନ ହେବା ଫଳରେ ଶିକ୍ଷାର ଗୁଣାତ୍ମକ ବିକାଶ ହେବା ସହିତ ଅଣ ମ୍ୟାଟ୍ରିକ ଛାତ୍ରଛାତ୍ରୀ, ମା ଭଉଣୀମାନେ ମଧ୍ୟ ବୃତ୍ତିଗତ କ୍ଷେତ୍ରରେ ଉନ୍ନତି କରି ଆୟକ୍ଷମ ହୋଇପାରିବେ ଏବଂ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ ବୋଲି ଅତିଥିମାନେ ମତାମତ ଦେଇଥିଲେ । ରାଇରଙ୍ଗପୁର ଉପଜିଲାପାଳ ସୌମ୍ୟରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଜେନା, ତହସିଲଦାର ବିଶ୍ୱନାଥ ବିଶ୍ୱାଳ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳାନନ୍ଦ ସାହୁ, ବରିଷ୍ଠ ବିଜେପି ନେତା ନବୀନ ରାମ, ସଞ୍ଜୀବ ମହାନ୍ତି, ମନୋଜ ଦାସ,ସୁରତ ପଟ୍ଟନାୟକଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

Breaking News