ରିପୋର୍ଟ କାର୍ଡ / କଟକ
ଲାଞ୍ଚନେବା ପ୍ରମାଣିତ ହେଉ ନଥିଲେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ। ଏନେଇ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଅଭିଯୁକ୍ତ ଆୟକର ବିଭାଗର ପୂର୍ବତନ ଟ୍ୟାକ୍ସ ଆସିଷ୍ଟାଣ୍ଟଙ୍କ ବିରୋଧରେ ଲାଞ୍ଚ ଦାବି ଦିଗ ପ୍ରମାଣିତ କରିବାପାଇଁ ଉପଯୁକ୍ତ ପ୍ରମାଣ ନଥିବା ଏବଂ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ଚାଲିବା ପାଇଁ ପ୍ରଦାନ କରାଯାଇଥିବା ମଞ୍ଜୁରୀ ନିର୍ଦ୍ଦେଶରେ ତ୍ରୁଟି ଥିବା ଦର୍ଶାଇ ହାଇକୋର୍ଟ ସ୍ବତନ୍ତ୍ର ସିବିଆଇ ଅଦାଲତଙ୍କ ୨୦୧୬, ଜୁନ୍ ୧୮ର ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜୀବ ରଂଜନଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଜଣେ ଆୟକରଦତାଙ୍କ କର ଫେରସ୍ତ ଦରଖାସ୍ତ ପ୍ରସଙ୍ଗରେ ପଦକ୍ଷେପ ନେବା ପାଇଁ ଆବେଦନକାରୀ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ୨୦୧୨, ମାର୍ଚ୍ଚ ୧୨ରେ ସିବିଆଇ ହାତରେ ଧରା ପଡ଼ିଥିଲେ। ରାଉରକେଲା ଆୟକର କାର୍ଯ୍ୟାଳୟରେ ଟ୍ୟାକ୍ସ ଆସିଷ୍ଟାଣ୍ଟ ଭାବେ ଆବେଦନକାରୀ କାର୍ଯ୍ୟ କରୁଥିବା ବେଳେ ଏହି ଘଟଣା ହୋଇଥିଲା। ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ସିବିଆଇ ଅଦାଲତ ମାମଲାର ଶୁଣାଣି କରି ୨୦୧୬, ଜୁନ ୧୮ରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨), ୧୩(୧)(ଡି) ଓ ୭ରେ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଏକବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଥିଲେ। ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ମାମଲାରେ ଦର୍ଶାଯାଇଥିଲା ଯେ ଯେଉଁ କାର୍ଯ୍ୟ ପାଇଁ ଲାଞ୍ଚ ଦିଆଯାଇଥିବା ଅଭିଯୋଗ ରହିଛି ସେ ନେଇ ଆବେଦନକାରୀଙ୍କ କ୍ଷମତା ନଥିଲା। ଏଥିସହିତ ଲାଞ୍ଚ ଦାବି ପ୍ରସଙ୍ଗ ପ୍ରମାଣିତ କରିବା ପାଇଁ ଉପଯୁକ୍ତ ତଥ୍ୟ ପ୍ରମାଣ ନାହିଁ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..