Report Card Odisha

| Daily Odia News

ରାଜ୍ୟସଭା ଅଧ୍ୟକ୍ଷଙ୍କୁ କ୍ଷମା ମାଗ ରାଘବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆପ୍ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନ ଉପରେ ଆଜି ବିଚାର କଲେ ସୁପ୍ରିମକୋର୍ଟ। ନିଲମ୍ବନ ହଟାଇବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ସାଂସଦ ଚଢାଙ୍କୁ ପରାମର୍ଶ ଦେଇଛନ୍ତି | ଏଥିସହ କ୍ଷମା ପ୍ରାର୍ଥନାକୁ ମଧ୍ୟ ସହାନୁଭୂତି ସହ ବିଚାର କରିବାକୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ଆଜିର ଶୁଣାଣି ସମୟରେ ଚଢ଼ାଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ଆପ୍ ନେତା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ବ୍ୟକ୍ତିଗତ ଭାବେ କ୍ଷମା ମାଗିବାକୁ ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ମଧ୍ୟ ଅଦାଲତଙ୍କ ଆଦେଶରେ ସହମତ ହୋଇଛନ୍ତି। ସେ କହିଛନ୍ତି, “ଚଢା କ୍ଷମା ମାଗିବା ଏକ ଉତ୍ତମ ବିକଳ୍ପ ହେବ।” ସୂଚନା ଅନୁସାରେ, ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ଅଗଷ୍ଟ ୧ ରେ ରାଜ୍ୟାସଭାରୁ ନିଲମ୍ବନ ହୋଇଥିଲେ ସାଂସଦ ରାଘବ ଚଢ଼ା। ଚାରି ଜଣ ସାଂସଦଙ୍କ ସମ୍ମତି ବିନା ଏକ ଗୃହ ପ୍ୟାନେଲରେ ସେମାନଙ୍କ ନାମ ଉଲ୍ଲେଖ କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ଆସିଥିଲେ। ଏହି ଚାରି ସାସଂଦ ରାଘବଙ୍କ ନାମରେ ଅଭିଯୋଗ ଆଣିଥିଲେ। ଏହାପରେ ଚଢ଼ାଙ୍କୁ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ନିଲମ୍ବନ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସାଂସଦ ଚଢ଼ା।

Breaking News