Report Card Odisha

| Daily Odia News

ବିଶ୍ବକୁ ଦିଶା ଦେଖାଉଛି ଭାରତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସମଗ୍ର ବିଶ୍ବ ପାଇଁ ଭାରତ ହିଁ ଭବିଷ୍ୟତରେ ଆଶାର କିରଣ ସାଜିବ । ଏପରିକି ବଡ ବଡ ସମସ୍ୟାକୁ ବି ଥରକରେ ସମାଧାନ କରିଦେବାର କ୍ଷମତା କେବଳ ଭାରତ ନିକଟରେ ହିଁ ରହିଛି । ବିଶ୍ବ ଯେତେବେଳେ ଏକାଧିକ ସଙ୍କଟ ଦେଇ ଗତି କରୁଛି ଭାରତ ଚୁଟ୍‌କିରେ ସମାଧାନ କରିଦେବାର କ୍ଷମତା ରଖିଛି’। ନିଜ ବ୍ଲଗ୍‌ରେ ଏଭଳି କହିଛନ୍ତି ମାଇକ୍ରୋସପ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ । ବିଲ୍‌ ଗେଟସ୍‌ ତାଙ୍କ ବ୍ଲଗ୍‌ ‘ଗେଟସ୍‌ ନୋଟ୍ସ’ରେ ଅନେକ ପ୍ରସଙ୍ଗରେ ଆଲୋଚନା କରିଥାନ୍ତି । ଏଥର ସେ ଭାରତକୁ ନେଇ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ବିଲ୍‌ କହିଛନ୍ତି, ‘ନୂତନ ଉଦ୍ଭାବନ ଏବଂ ବିତରଣ ଶୃଙ୍ଖଳ ମାଧ୍ୟମରେ ବିଶ୍ବ ଆଗକୁ ବଢିପାରିବ । ଏପରିକି ବଡ ବଡ ସମସ୍ୟାକୁ ମଧ୍ୟ ଗୋଟିଏ ଥରରେ ସମାଧାନ କରିପାରିବ । ଏପରିକି ବିଶ୍ବ ଯେତେବେଳେ ଏକାଧିକ ସଙ୍କଟ ଦେଇ ଗତି କରୁଛି ସେଗୁଡିକୁ ସମାଧାନ କିଭଳି କରାଯିବ ସେ ନେଇ ଅନେକ ସମୟରେ ମୋତେ ପ୍ରଶ୍ନ ପଚରାଯାଏ’। ଅନେକ କୁହନ୍ତି ଏଭଳି ସମସ୍ୟାକୁ ଏକାବେଳେ ସମାଧାନ କରିବା ପାଇଁ ସେତିକି ପରିମାଣର ସମୟ ଏବଂ ଅର୍ଥ ନାହିଁ | ବିଲ୍‌ ଗେଟସ୍‌ ଏହାର ଉଦାହରଣ ଦେବାକୁ ଯାଇ ଭାରତର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି, ‘ଭାରତ ଏହାକୁ ଭୁଲ ପ୍ରମାଣିତ କରିଛି । ବିଶ୍ବର ଏକମାତ୍ର ଦେଶ ଭାରତ ଯିଏକି ଉଲ୍ଲେଖ୍ୟନୀୟ ସମୃଦ୍ଧି ହାସଲ କରିପାରିଛି । ଯାହାକି ସମଗ୍ର ବିଶ୍ବ ପାଇଁ ସବୁଠାରୁ ବଡ ଉଦାହରଣ’। ସେ ଆହୁରି ମଧ୍ୟ କହିଛନ୍ତି, ‘ମୋ ମତରେ ଭବିଷ୍ୟତ ପାଇଁ ଭାରତ ହିଁ ଏକମାତ୍ର ଦେଶ ଯିଏକି ଆଶାର କିରଣ ସାଜିପାରିବ । ଆଗକୁ ଭାରତ ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେବାକୁ ଯାଉଛି । ତେଣୁ ସେଠାରେ ସବୁ ସମସ୍ୟାର ସମାଧାନ କରିବା କାଠିକର ପାଠ । କିନ୍ତୁ ଭାରତ ଏହାକୁ ଭୁଲ ପ୍ରମାଣିତ କରିବା ସହିତ ବଡ ବଡ ଚ୍ୟାଲେଞ୍ଜକୁ ଅତି ସହଜରେ ସମାଧାନ କରିବାର କ୍ଷମତା ରଖିଛି । ଭାରତ ପୂର୍ବରୁ ବଡ ବଡ ସମସ୍ୟାକୁ ବି ସମାଧାନ କରିଛି । ଏହାର ଉଦାହରଣ ହେଉଛି ପୋଲିଓ ନିରାକରଣ, ଏଚଆଇଭି ସଂକ୍ରମଣ ହ୍ରାସ, ଦାରିଦ୍ର‍୍ୟ ଦୂରୀକରଣ, ମୃତ୍ୟୁହାର ହ୍ରାସ ଓ ଆର୍ଥିକ ଅଗ୍ରଗତି’। ଭାରତ ନୂଆ ନୂଆ ଜ୍ଞାନକୌଶଳ ବ୍ୟବହାର କରି ବିକାଶକୁ ତ୍ବରାନ୍ବିତ କରିପାରିଛି । ଦେଶ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବଡ ବଡ ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ପ୍ରସ୍ତାବ ଦେଉଛି । ଯେଉଁଥିରେ ଗେଟସ୍‌ ଫାଉଣ୍ଡେସନ୍‌ ମଧ୍ୟ ରହିଥିବା କହିଛନ୍ତି ବିଲ୍‌ ଗେଟସ୍‌ । ସେ କହିଛନ୍ତି, ଡାଇରିଆ ନିରାକରଣ କରିବାରେ ଭାରତ ଉଲ୍ଲେଖ୍ୟନୀୟ କାର୍ଯ୍ୟ କରିଛି । ପୂର୍ବରୁ ବିଦେଶକୁ ଭ୍ୟାକସିନ୍‌ କିଣି ରୋଗୀଙ୍କୁ ଦେଉଥିଲା ଯାହାକି ଅଧିକ ଖର୍ଚ୍ଚର କାରଣ ପାଲଟିଥିଲା । ଏବେ କିନ୍ତୁ ଭାରତ ନିଜେ ଭ୍ୟାକସିନ୍‌ ତିଆରି କରୁଛି ଓ ତାର ଜନସାଧାରଣଙ୍କୁ ମାଗଣାରେ କିମ୍ବା ସ୍ବଳ୍ପ ବ୍ୟୟ ଔଷଧ ଯୋଗାଇ ପାରୁଛି’।

Breaking News