ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ଦୁଇଦିନିଆ ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ‘କ୍ବାଡ୍’ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଟୋକିଓରେ ପହଞ୍ଚିଛନ୍ତି | ସେଠାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବମାନଙ୍କ ‘ମୋଦୀ, ମୋଦୀ’ ଓ ‘ଭାରତ ମାତା କୀ ଜୟ’ ଧ୍ବନିରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଉଠିଥିଲା। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଥିବା ‘ହୋଟେଲ୍ ନିଉ ଓତାନି’ରେ ଭାରତୀୟ ବଂଶୋଦ୍ଭବମାନେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖି ହର୍ଷୋତ୍ଫିଲ୍ଲିତ ଭାରତୀୟ ବଂଶୋଦ୍ଭବମାନେ ଜାତୀୟ ପତାକା ହଲାଇ ‘ହର ହର ମୋଦୀ’, ‘ମୋଦୀ, ମୋଦୀ’, ‘ବନ୍ଦେ ମାତରଂ’ ଓ ‘ଭାରତ ମାତା କୀ ଜୟ’ ଆଦି ଧ୍ବନି ଦେଇଥିଲେ। ଭାରତୀୟ ବଂଶୋଦ୍ଭବମାନଙ୍କର ଅନେକ ପିଲା ମଧ୍ୟ ହୋଟେଲ୍ ନିକଟରେ ଉପସ୍ଥିତ ହୋଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଡ଼କୁ ହାତ ହଲାଇଥିଲେ। ସେମାନଙ୍କ ହାତରେ ଥିଲା ଭିନ୍ନ ଭିନ୍ନ ଭାଷାରେ ‘ସ୍ବାଗତମ୍’ ଲେଖାଥିବା ‘ପ୍ଲାକାର୍ଡ’। ଉପସ୍ଥିତ ପିଲାମାନଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀ ଜଣକ ସହ ଆଳାପ କରିବା ସହ ତା’ ପାଇଁ ‘ଅଟୋଗ୍ରାଫ୍’ ସ୍ବାକ୍ଷର କରିଥିଲେ। ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ପଚାରିଲେ, ବାଃ! ହିନ୍ଦୀ କେଉଁଠୁ ଶିଖିଲ? ଭଲ ହିନ୍ଦୀ ଜାଣିଛ ତ? ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜାପାନ ଆଗମନରେ ଭାରତୀୟ ବଂଶୋଦ୍ଭବମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ କହିଛନ୍ତି, ଜାପାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ ଜଣାଇ ଆମେ ଅତ୍ୟନ୍ତ ଖୁସି। ତାଙ୍କର ସାମର୍ଥ୍ୟ ଅଦମ୍ୟ। ସବୁଠାରେ ସେ ଆମକୁ ଗୌରବାନ୍ବିତ କରାଇଛନ୍ତି। ଉଲ୍ଲେଖଯୋଗ୍ୟ, ଜାପାନୀ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଆମନ୍ତ୍ରଣକ୍ରମେ ମେ ୨୪ ତାରିଖରେ ‘କ୍ବାଡ୍ ଶିଖର’ ବୈଠକରେ ଅଂଶ ଗ୍ରହଣ କରିବା ଲାଗି ପ୍ରଧାମନ୍ତ୍ରୀ ମୋଦୀ ଆଜି ପ୍ରତ୍ୟୁଷରେ ଟୋକିଓରେ ପହଞ୍ଚିଛନ୍ତି। ଟୋକିଓରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରିଛନ୍ତି, ଟୋକିଓରେ ଅବତରଣ କଲି। ଏହି ଗସ୍ତ ସମୟରେ ‘କ୍ବାଡ୍ ଶିଖର ସମ୍ମିଳନୀ’, ‘କ୍ବାଡ୍’ ନେତାଙ୍କ ସହ ବୈଠକ, ବିଶିଷ୍ଟ ଜାପାନୀ ବ୍ୟବସାୟୀ ଏବଂ ଭାରତୀୟ ବଂଶୋଦ୍ଭବମାନଙ୍କ ସହ ଆଲୋଚନା ସମେତ ବହୁ କାର୍ଯ୍ୟକ୍ରମରେ ଯୋଗ ଦେବି।






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….