ରିପୋର୍ଟ କାର୍ଡ / କୋରାପୁଟ
କୋରାପୁଟ ଡାକ ଡିଭିଜନରେ ଜାଲ୍ ସାର୍ଟିଫିକେଟ ଦାଖଲ କରି ନିଯୁକ୍ତି ମାମଲାରେ ଯାଞ୍ଚ୍ ପରଧିକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ମୁଖ୍ୟ ଡାକପାଳ । ୨୦୧୮ ମସିହାରୁ ନିଯୁକ୍ତି ପାଇଥିବା ସମସ୍ତ ଗ୍ରାମୀଣ ଡାକସେବକଙ୍କ ସାର୍ଟିଫିକେଟ୍ ଯାଞ୍ଚ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୫ବର୍ଷ ମଧ୍ୟରେ କୋରାପୁଟ ଡିଭିଜନ୍ରେ ୪ଶହରୁ ଊର୍ଦ୍ଧ୍ବ ଡାକସେବକ ନିଯୁକ୍ତି ପାଇଛନ୍ତି। ସମସ୍ତଙ୍କ ଶିକ୍ଷାଗତ ପ୍ରମାଣପତ୍ରକୁ ଡିଜିଲକର ଆପ୍ ଦ୍ବାରା ଯାଞ୍ଚ କରାଯିବ। ତଦନ୍ତ ପ୍ରକ୍ରିୟା ତୁରନ୍ତ ଶେଷକରି ରିପୋର୍ଟ ଦାଖଲ ନିମନ୍ତେ ରାଜ୍ୟ ମୁଖ୍ୟ ଡାକପାଳ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ଚିଠି କୋରପୁଟ ଡିଭିଜନ୍ କାର୍ଯ୍ୟାଳୟରେ ପହଞ୍ଚିଛି। ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ନକଲି ସାର୍ଟିଫିକେଟ ଦାଖଲ କରି ଚାକିରି ନିମନ୍ତେ ଆବେଦନ କରିଥିବା କୋରାପୁଟ ଡିଭିଜନ ଡାକ ବିଭାଗ ବରିଷ୍ଠ ଅଧୀକ୍ଷକ ମନୋଜ ପ୍ରଗଡ଼ା ପ୍ରମାଣ ପାଇଥିଲେ। ଫଳରେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଥାନାରେ ଏତଲା ଦେବାସହ କୋରାପୁଟ ଏସ୍ପି ଅଭିନବ ସୋନକାରଙ୍କୁ ଅବଗତ କରାଇଥିଲେ। ଏହାପରେ ଦ୍ବିତୀୟ ପର୍ଯ୍ୟାୟ ଯାଞ୍ଚ ହେବାରୁ ପୁଣି ୪ଜଣ ନକଲି ସାର୍ଟିଫିକେଟ ଦାଖଲ କରିଥିବା ପ୍ରମାଣ ମିଳିଥିଲା। ଦୁଇଟି ପର୍ଯ୍ୟାୟରେ ମୋଟ ୨୬ଜଣ ନକଲି ସାର୍ଟିଫିକେଟ୍ରେ ଚାକିରି ପାଇଁ ଆବେଦନ କରିଥିବା ବେଳେ ପୁଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଲାଣି। ଅନ୍ୟ ୨୨ଜଣ ମଧ୍ୟ ଗିରଫ ହେବେ ବୋଲି ଜୟପୁର ଏସ୍ଡିପିଓ ହରିଶ ବି.ସି କହିଛନ୍ତି। ଅନ୍ୟପକ୍ଷରେ, ଧରପଗଡ଼ ଜୋରଦାର ହେବାରୁ ଅଧିକାଂଶ ଫେରାର ହୋଇଯାଇଛନ୍ତି। ତଥାପି ଟିମ୍ ଗଠନ କରି ସେମାନଙ୍କ ସନ୍ଧାନ ଚାଲିଥିବା ଏସ୍ପି ଅଭିନବ ସୋନକର କହିଛନ୍ତି। ସେହିପରି ନକଲି ପ୍ରମାଣପତ୍ର କିଏ ଦେଲା, କିଏ ସୂତ୍ରଧର, କେତେ ଟଙ୍କାରେ ଡିଲ୍ ହୋଇଥିଲା ତାହାର ତଦନ୍ତ ଜାରି ରହିଛି। ଉତ୍ତରପ୍ରଦେଶ ଏବଂ ଓଡ଼ିଶା ବୋର୍ଡର ଯେଉଁ ପ୍ରମାଣ ପତ୍ର ଦାଖଲ ହୋଇଛି ତାହା ବୈଧତା ଯାଞ୍ଚ୍ ପାଇଁ ସଂପୃକ୍ତ ବୋର୍ଡ ସହ ଯୋଗାଯୋଗ ଚାଲିଥିବା ଏସ୍ପି ସୂଚନା ଦେଇଛନ୍ତି।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..