Report Card Odisha

| Daily Odia News

ଆମେରିକାରୁ ଏଲ୍‌ପିଜି ଆମଦାନୀ କରିବ ଭାରତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକା ସହ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ଭାରତ ବୁଝାମଣା ଚଳାଇଥିବାବେଳେ ଭାରତୀୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଆସନ୍ତାବର୍ଷରୁ ସେଠାରୁ ବାର୍ଷିକ ୨.୨ ନିୟୁତ ଟନ୍‌ (ଏମ୍‌ଟିପିଏ) ତରଳୀକୃତ ପେଟ୍ରୋଲିୟମ୍‌ ଗ୍ୟାସ୍‌ (ଏଲ୍‌ପିଜି) ଆମଦାନୀ କରିବାକୁ ଯାଉଛନ୍ତି। ଏଥିପାଇଁ ଏକବର୍ଷିଆ ଚୁକ୍ତି ସ୍ବାକ୍ଷରିତ ହୋଇଥିବା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ସୋମବାର ସୂଚନା ଦେଇଛନ୍ତି। ଏହା ଭାରତର ବାର୍ଷିକ ଏଲପିଜି ଆମଦାନୀର ପ୍ରାୟ ୧୦% ହୋଇଥିବାବେଳେ ଭାରତୀୟ ବଜାର ପାଇଁ ଏହା ପ୍ରଥମ ସଂରଚିତ ଆମେରିକୀୟ ଏଲପିଜି ଚୁକ୍ତି। ମନ୍ତ୍ରୀ ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି। ଏହି ଚୁକ୍ତି ଆମେରିକା ସହ ଭାରତର ବାଣିଜ୍ୟ ବଳକା କମାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତରୁ ଆମଦାନୀ ସାମଗ୍ରୀ ଉପରେ ପୂର୍ବରୁ ୨୫ ପ୍ରତିଶତ ଜବାବୀ ଶୁଳ୍କ ଲଗାଇଥିଲେ। ରୁଷିଆଠାରୁ ଭାରତ ତୈଳ କିଣି ଏହାକୁ ୟୁକ୍ରେନ୍‌ ବିରୋଧୀ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଣରେ ସହାୟତା କରୁଥିବା ଟ୍ରମ୍ପ୍‌ ଅଭିଯୋଗ କରିବା ସହ ପୁଣି ୨୫% ଟାରିଫ କଷିଥିଲେ। ତେବେ ଭାରତ ରୁଷିଆରୁ ତୈଳ କିଣା ବନ୍ଦ କରିବ ବୋଲି ରାଜି ହୋଇଥିବା ଟ୍ରମ୍ପ୍‌ ନିକଟରେ କହିଥିଲେ। ଭାରତ ଏହାର ଏଲ୍‌ପିଜି ଆବଶ୍ୟକତାର ୬୫ ପ୍ରତିଶତ କାତାର, ୟୁଏଇ, ସାଉଦି ଆରବରୁ ଆମଦାନୀ କରିଥାଏ। ଆମେରିକାରୁ ଗ୍ୟାସ୍‌ କିଣିବା ପାଇଁ ଚୁକ୍ତିନାମା ହୋଇଥିବାରୁ ଭାରତର ଇନ୍ଧନ ଅବଶ୍ୟକତା ମେଣ୍ଟାଇବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ଅନ୍ୟ ଦେଶରୁ କିଣାଯାଉଥିବା ଏଲ୍‌ପିଜି ତୁଳନାରେ ଏହା ଶସ୍ତା ହେବ ବୋଲି କୁହାଯାଉଛି। ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ)ର ଅଧିକାରୀମାନଙ୍କ ଏକ ଟିମ୍‌ ଜୁଲାଇ ୨୧ରୁ ୨୪ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯାଇ ସେଠାର ପ୍ରମୁଖ ଉତ୍ପାଦକମାନଙ୍କ ସହିତ ଆଲୋଚନା କରିଥିଲେ। ଏଲପିଜି କ୍ରୟର ମାନଦଣ୍ଡ ଭାବରେ ମାଉଣ୍ଟ ବେଲଭିଉ ଉପରେ ଆଧାରିତ ଏହି ଆଲୋଚନା ପରେ ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି। ପିଏସ୍‌ୟୁ ତୈଳ କମ୍ପାନୀଗୁଡ଼ିକ ସାରା ଦେଶରେ ସର୍ବନିମ୍ନ ଦରରେ ଏଲପିଜି ଯୋଗାଣ ସୁନିଶ୍ଚିତ କରିଛନ୍ତି। ଗତବର୍ଷ ବିଶ୍ୱ ଏଲପିଜି ମୂଲ୍ୟ ୬୦%ରୁ ଅଧିକ ବୃଦ୍ଧି ପାଇଥିଲା। ପ୍ରକୃତ ମୂଲ୍ୟ ୧୧୦୦ ଟଙ୍କା ଅତିକ୍ରମ କରିବା ସତ୍ତ୍ୱେ ଉଜ୍ଜ୍ୱଳା ହିତାଧିକାରୀ ପ୍ରାୟ ୫୦୦ରୁ ୫୫୦ ଟଙ୍କା ସବସିଡି ମୂଲ୍ୟରେ ସିଲିଣ୍ଡର ପାଉଛନ୍ତି। ଭାରତ ସରକାର ଏହି ଭାରକୁ ବହନ କରି ପୂର୍ବ ବର୍ଷରେ ପରିବାରଗୁଡ଼ିକୁ ବୃଦ୍ଧି ପାଉଥିବା ଆନ୍ତର୍ଜାତୀୟ ଏଲପିଜି ମୂଲ୍ୟର ପ୍ରଭାବରୁ ରକ୍ଷା କରିବା ପାଇଁ ୪୦,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ପୁରୀ କହିଛନ୍ତି।

Breaking News