ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ସେନା ମୋଟାପଣ କିମ୍ବା ଖରାପ ଜୀବନଶୈଳୀ ଆପଣାଉଥିବା ସୈନିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ସେନାରେ ଏବେ ନୂତନ ନୀତି ଲାଗୁ କରାଯାଇଛି, ଯେଉଁଥିରେ ଅନେକ ନୂଆ ପରୀକ୍ଷା ନିରୀକ୍ଷା ଅନ୍ତର୍ଭୁକ୍ତ କରାଯାଇଛି। ବିଶେଷ କଥା ହେଉଛି ଯେଉଁ ସୈନିକମାନେ ନୂତନ ମାନଦଣ୍ଡ ପୂରଣ କରୁନାହାଁନ୍ତି ସେମାନଙ୍କୁ ସୁଧାର ପାଇଁ ପ୍ରଥମେ ୩୦ ଦିନ ସମୟ ଦିଆଯିବ ଏବଂ ଏହାପରେ ବି ଯଦି କୌଣସି ପରିବର୍ତ୍ତନ ନ ହୁଏ, ତେବେ ସେମାନଙ୍କ ଛୁଟି କମାଇବା ଭଳି ପଦକ୍ଷେପ ଗ୍ରହଣ କରାଯାଇପାରେ। ନୂତନ ନିୟମ ଅନୁଯାୟୀ, ପ୍ରତ୍ୟେକ କର୍ମଚାରୀଙ୍କୁ ଏପିଏସି ଅର୍ଥାତ୍ ଆର୍ମି ଫିଜିକାଲ୍ ଫିଟନେସ୍ ଆସେସମେଣ୍ଟ କାର୍ଡ ମଧ୍ୟ ପ୍ରସ୍ତୁତ ରଖିବାକୁ ପଡ଼ିବ। ଜାତୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ସମସ୍ତ କମାଣ୍ଡକୁ ଏହି ପତ୍ର ପଠାଯାଇଛି। କୁହାଯାଇଛି ଯେ, ଯାଞ୍ଚ ପ୍ରକ୍ରିୟାରେ ସମାନତା ଆଣିବା, ଶାରୀରିକ ଅକ୍ଷମତା କିମ୍ବା ମେଦବହୁଳତା ଏବଂ ଜୀବନଶୈଳୀ ଦ୍ବାରା ହେଉଥିବା ରୋଗର ମୁକାବିଲା କରିବା ହେଉଛି ଏହି ନୂଆ ନୀତିର ଉଦ୍ଦେଶ୍ୟ। ରିପୋର୍ଟ ଅନୁଯାୟୀ, ନୂତନ ନିୟମ ଅନୁଯାୟୀ ବ୍ରିଗେଡିୟର୍ ରାଙ୍କ୍ର ଅଧିକାରୀଙ୍କ ସହିତ ଦୁଇ କର୍ଣ୍ଣେଲ ଏବଂ ଜଣେ ମେଡିକାଲ୍ ଅଧିକାରୀ ପ୍ରତି ତିନି ମାସରେ ମୂଲ୍ୟାଙ୍କନ କରିବେ। ବିପିଇଟି(ବ୍ୟାଟେଲ ଫିଜିକାଲ ଏଫିସିଏନ୍ସି ଟେଷ୍ଟ) ଓ ପିପିଟ(ଫିଜିକାଲ ପ୍ରୋଫିସିଏନ୍ସି ଟେଷ୍ଟ) ବ୍ୟତୀତ ସୈନିକମାନଙ୍କୁ ଆହୁରି କିଛି ପରୀକ୍ଷା ଦେବାକୁ ପଡ଼ିବ। ଏଥିରେ ୧୦ କିଲୋମିଟର ସ୍ପିଡ୍ ମାର୍ଚ ଓ ପ୍ରତି ୬ ମାସରେ ୩୨ କିଲୋମିଟର ରୁଟ୍ ମାର୍ଚ ସାମିଲ। ଏଥିସହ ୫୦ ମିଟର ସନ୍ତରଣ ପରୀକ୍ଷା ମଧ୍ୟ ଦେବାକୁ ପଡ଼ିବ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଯେଉଁ ସୈନିକମାନେ ଏହି ମାନଦଣ୍ଡ ପୂରଣ କରୁ ନଥିବେ କିମ୍ବା ସେମାନଙ୍କ ଓଜନ ଅଧିକ ହୋଇଥିବ, ସେମାନଙ୍କୁ ସ୍ବାସ୍ଥ୍ୟ ସୁଧାରିବାକୁ ୩୦ ଦିନ ସମୟ ଦିଆଯିବ। ଯଦି ଏହି ଅବଧି ମଧ୍ୟରେ କୌଣସି ଉନ୍ନତି ନହୁଏ, ତେବେ ସେମାନଙ୍କ ଛୁଟି କଟାଯିବ।
More Stories
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା…..
ଓଟିଇଟି ରେଜଲ୍ଟ ପ୍ରକାଶ….
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..