Report Card Odisha

| Daily Odia News

ପଓ୍ଵନ ଖେରାଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବରିଷ୍ଠ କଂଗ୍ରେସ ନେତା ପଓ୍ଵନ ଖେରାଙ୍କୁ ଆଜି ସନ୍ଧ୍ୟାରେ ଦିଲ୍ଲୀର ଏକ ଅଦାଲତ ଅନ୍ତରୀଣ ଜାମିନରେ ମୁକ୍ତ କରିବାକୁ ଅନୁମତି ଦେଇଛନ୍ତି। ଆଜି ଦିଲ୍ଲୀ ବିମାନ ବନ୍ଦରରେ ଆସାମ ପୋଲିସ ପଓ୍ଵନ ଖେରାଙ୍କୁ ଗିରଫ କରିବା ପରେ କଂଗ୍ରେସ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଖେରାଙ୍କ ଗିରଫଦାରୀ ସମ୍ପର୍କରେ ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରାଇଥିଲେ। ଏଥିସହ କଂଗ୍ରେସ ନେତାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆରକୁ ଗୋଟିଏରେ ବିଭକ୍ତ କରିବାକୁ ସେ ଦାବି କରିଥିଲେ। କାରଣ ସାରା ଦେଶରେ ଅନେକ ମାମଲା ରୁଜୁ ହେଉଛି। ସୁପ୍ରିମ୍‌କୋର୍ଟରେ ପଓ୍ଵନ ଖେରାଙ୍କ ପ୍ରତିନିଧିତ୍ୱ କରୁଥିବା ସିଂଘଭି ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି ଯେ କଂଗ୍ରେସ ନେତା କ୍ଷମା ମାଗିଛନ୍ତି ଏବଂ ଏହା ଏକ ଭୁଲ୍‌; ଜିଭରୁ ଖସିଯିବା ଘଟଣା ବୋଲି କହିଛନ୍ତି। ଅନ୍ୟପକ୍ଷରେ ଆସାମ ପୋଲିସ ପକ୍ଷରୁ ହାଜର ହୋଇଥିବା ଓକିଲ ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଛନ୍ତି ଯେ ପଓ୍ଵନ ଖେରାଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ଟ୍ରାନଜିଟ୍‌ ରିମାଣ୍ଡ ପାଇଁ କୋର୍ଟରେ ହାଜର କରାଯିବ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ସୁପ୍ରିମ୍‌କୋର୍ଟ କହିଛନ୍ତି, ସମସ୍ତ ଏଫ୍‌ଆଇଆର୍‌ ସଂକ୍ରାନ୍ତରେ ଆବେଦନକାରୀ ନ୍ୟାୟିକ ଅଦାଲତରେ ନିୟମିତ ଜାମିନ ପାଇଁ ଆବେଦନ ନ କରିବା ପର୍ଯ୍ୟନ୍ତ ତାଙ୍କୁ ସୁରକ୍ଷା ଦେବା ପାଇଁ ଆମେ ନିର୍ଦ୍ଦେଶ ଦେଉଛୁ ଯେ ଆବେଦନକାରୀଙ୍କୁ ତାଲିକାଭୁକ୍ତ କରିବାର ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଆଜି ସନ୍ଧ୍ୟାରେ ଦିଲ୍ଲୀ ଅଦାଲତ ଅନ୍ତରୀଣ ଜାମିନରେ ମୁକ୍ତ କରିବେ। ଉଲ୍ଲେଖ ଯୋଗ୍ୟ-ଫେବ୍ରୁଆରି ୧୭ରେ ଆଦାନୀ-ହିଣ୍ଡେନବର୍ଗ ବିବାଦ ଉପରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେବା ପରେ ଖେରାଙ୍କ ବିରୋଧରେ ଲକ୍ଷ୍ନୌ, ବାରାଣାସୀ ଏବଂ ଆସାମର ପୋଲିସ  ଷ୍ଟେସନରେ ଏକାଧିକ ଏଫଆଇଆର ରୁଜୁ କରାଯାଇଥିଲା। ଆଜି ଦଳୀୟ ଅଧିବେଶନରେ ଯୋଗ ଦେବା ଲାଗି ଛତିଶଗଡ଼ର ରାୟପୁର ଯାଉଥିବା ବରିଷ୍ଠ କଂଗ୍ରେସ ନେତା ପବନ ଖେରାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯିବା ପରେ ଆସାମ ପୋଲିସ ଆସି ତାଙ୍କୁ ଗିରଫ କରଥିଲା।

 

Breaking News