Report Card Odisha

| Daily Odia News

ଆଜି ଆନ୍ତର୍ଜାତୀୟ ମହିଳା ଦିବସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ସମାଜରୁ ଲିଙ୍ଗଗତ ଭେଦଭାବ ଦୂର ଲାଗି ମଧ୍ୟ ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଏ । ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉପଲକ୍ଷେ ଉତ୍ସବ ରୂପେ ପାଳନ କରାଯାଏ । ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ମହିଳାଙ୍କ ଅବଦାନ ପୁରୁଷଙ୍କଠାରୁ କୌଣସି ଗୁଣରେ କମ ନୁହେଁ । ସବୁ କ୍ଷେତ୍ରରେ ଉଭୟ ପୁରୁଷ ଓ ମହିଳା ସମାନ ଭାବେ ସଫଳ । ଟେକ୍ନୋଲୋଜି, ଉଦ୍ଭାବନ କ୍ଷେତ୍ରରେ ନାରୀ ଆଜି ଅଗ୍ରଣି ଭୂମିକା ନିର୍ବାହ କରୁଛି। ମହାକାଶରେ ନିଜ ପରାକାଷ୍ଠା ଦେଖାଇବାରେ ମଧ୍ୟ ପଛକୁ ହଟିନି । ଏସବୁ ସତ୍ତେ୍ୱ ଲୋକଙ୍କ ମନରେ ଲିଙ୍ଗ ମତଭେଦ ଭଳି ବିକୃତ ଭାବନା ସୃଷ୍ଟି ହେବା ଚିନ୍ତାର ବିଷୟ । ଏକବିଂଶ ଶତାବ୍ଦୀରେ ବଳବତ୍ତର ଏହି ଧାରଣାକୁ ଦୂର କରିବା ଅନ୍ତର୍ଜାତୀୟ ମହିଳା ଦିବସର ଉଦ୍ଦେଶ୍ୟ। ମହିଳାଙ୍କ ଶକ୍ତି, ସାମର୍ଥ୍ୟ ଓ ପ୍ରଗତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଏହାର ଲକ୍ଷ୍ୟ । ସାଧାରଣ ମହିଳାଙ୍କ ଅସାଧାରଣ କାର୍ଯ୍ୟକୁ ଆଜି ସମ୍ମାନ ପ୍ରଦର୍ଶନ କରାଯାଏ । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି- ‘ଏକ ସ୍ଥାୟୀ ଆସନ୍ତା କାଲି ପାଇଁ ଆଜିର ଲିଙ୍ଗଗତ ସମାନତା ।’ ଉଲ୍ଲେଖ ଯୋଗ୍ୟ ଯେ, ୧୯୦୮ ମସିହାରେ ଏକ ଶ୍ରମିକ ଆନ୍ଦୋଳନ ପରେ ମହିଳା ଦିବସ ପାଳନ ଆରମ୍ଭ ହୋଇଥିଲା । କାର୍ଯ୍ୟନିର୍ଘଣ୍ଟ କମ୍‌ କରିବା, ଦରମାବୃଦ୍ଧି ଓ ଭୋଟ୍‌ଦାନ ଅଧିକାର ପ୍ରଦାନ ଦାବିରେ ପ୍ରାୟ ୧୫,୦୦୦ ମହିଳା ନ୍ୟୁୟର୍କ ସହର ମଧ୍ୟରେ ବିକ୍ଷୋଭ କରିଥିଲେ । ସେମାନଙ୍କ ଆନ୍ଦୋଳନକୁ ସଫଳତା ମିଳିବା ପରେ ତା’ ପର ବର୍ଷ ଆମେରିକାରେ ଜାତୀୟ ମହିଳା ଦିବସ ପାଳିତ ହେଲା । ପରେ ଅନ୍ୟ ଦେଶମାନଙ୍କରେ ମହିଳା ଦିବସ ପାଳିତ ହେବାକୁ ଲାଗିଲା । ପରବର୍ତ୍ତୀ ସମୟରେ ବିଶ୍ୱବ୍ୟାପୀ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରିବାକୁ ସିଦ୍ଧାନ୍ତ ନିଆଗଲା । ପ୍ରତିବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ଭିନ୍ନ ଭିନ୍ନ ଥିମ୍‌ ରହିଥାଏ ।

Breaking News