ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଉପରେ କଟକଣା ଲଗାଇଛି ଇସ୍ରାଏଲ। ଇସ୍ରାଏଲରେ ଗୁଟେରସ ପ୍ରବେଶ କରିପାରିବେ ନାହିଁ ବୋଲି ଏହାର ବିଦେଶ ମନ୍ତ୍ରୀ ଇସ୍ରାଏଲ କାଜ୍ ଘୋଷଣା କରିଛନ୍ତି। ବିଦେଶ ମନ୍ତ୍ରୀ କାଜ୍ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଟ୍ବିଟ୍ କରି କହିଛନ୍ତି, ଜାତିସଂଘ ମହାସଚିବ ଇସ୍ରାଏଲ ବିରୋଧରେ ପକ୍ଷପାତ କରିଛନ୍ତି। ତେଣୁ ଇସ୍ରାଏଲ ତାଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରୁଛି। ଇସ୍ରାଏଲ ତାଙ୍କୁ ନିଜ ଦେଶରେ ସ୍ଵାଗତ କରିବାକୁ ଚାହୁଁନାହିଁ। ଇସ୍ରାଏଲ ଉପରେ ଇରାନର ଘୃଣ୍ୟ ଆକ୍ରମଣକୁ ବିଶ୍ଵବ୍ୟାପୀ ଅଧିକାଂଶ ରାଷ୍ଟ୍ର ନିନ୍ଦା କରିଛନ୍ତି। ଯେଉଁମାନେ ଏହାକୁ ନିନ୍ଦା କରିନାହାନ୍ତି ସେମାନେ ଇସ୍ରାଏଲ ମାଟିରେ ପାଦ ରଖିବାକୁ ଯୋଗ୍ୟ ନୁହନ୍ତି। ଗତବର୍ଷ ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ଗଣହତ୍ୟା ରଚିଥିଲା। ମହିଳାଙ୍କ ଉପରେ ଯୌନ ନିର୍ଯାତନା କରିଥିଲା। ଜାତିସଂଘ ମହାସଚିବ ବର୍ତ୍ତମାନ ସୁଦ୍ଧା ଏହି ଘଟଣାକୁ ନିନ୍ଦା କରିନାହାନ୍ତି କି ହମାସକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବାକୁ ପଦକ୍ଷେପ ନେଇନାହାନ୍ତି। ଗୁଟେରସ ଜଣେ ଏପରି ମହାସଚିବ, ଯିଏ ହମାସ, ହେଜବୋଲ୍ଲା, ହୁତି ଆତଙ୍କବାଦୀ, ଦୁଷ୍କର୍ମକାରୀ ଓ ହତ୍ୟାକାରୀ ଏବଂ ବିଶ୍ଵ ଆତଙ୍କବାଦର ଜନନୀ ଇରାନକୁ ସମର୍ଥନ କରୁଛନ୍ତି। ଜାତିସଂଘ ଇତିହାସରେ ସେ ଜଣେ କଳଙ୍କ ଭାବେ ସର୍ବଦା ମନେରହିବେ ବୋଲି ବିଦେଶ ମନ୍ତ୍ରୀ କାଜ୍ ଲେଖିଛନ୍ତି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……