Report Card Odisha

| Daily Odia News

ଇସ୍ରାଏଲ-ହମାସର ଅସ୍ତ୍ର ବିରତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠାରୁ ଇସ୍ରାଏଲ ଓ ହମାସ ମଧ୍ୟରେ ହେବାକୁ ଥିବା ପଣବନ୍ଦୀ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବ। ଅସ୍ତ୍ର ବିରତି ପୂର୍ବକ ଉଭୟ ପକ୍ଷ ମଧ୍ୟରେ ପଣବନ୍ଦୀ ଅଦଳବଦଳ ହେବାକୁ ବୁଝମଣା ଚୂଡାନ୍ତ ହୋଇଥିଲା। ତେବେ କେତେକ ବୈଷୟିକ କାରଣକୁ ନେଇ ଏହାକୁ ଦିନେ ସ୍ଥଗିତ ରଖାଯିବା ପରେ ଆଜିଠାରୁ ପଣବନ୍ଦୀ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବ। ବୁଝାମଣା ଅନୁଯାୟୀ ହମାସ ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବା ଇସ୍ରାଏଲ ନାଗରିକଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୦ଜଣଙ୍କୁ ମୁକ୍ତ କରିବେ। ପ୍ରତିବଦଳରେ ଇସ୍ରାଏଲ ୪ଦିନ ପାଇଁ ଯୁଦ୍ଧ ବନ୍ଦ କରିବ। ଏହା ସହିତ ୧୫୦ଜଣ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ। ଇସ୍ରାଏଲ ଅଧୀନରେ ଏବେ ପ୍ରାୟ ୩୦୦ ପାଲେଷ୍ଟାଇନ ନାଗରିକ ବନ୍ଦୀ ଅଛନ୍ତି। ସେହିପରି ହମାସ ଆତଙ୍କବାଦୀଙ୍କ କବଳରେ ଏବେ ୨୪୦ଜଣ ପଣବନ୍ଦୀ ରହିଛନ୍ତି। ଗୁରୁବାର ଠାରୁ ଯୁଦ୍ଧ ବନ୍ଦ ସହିତ ପଣବନ୍ଦୀ ଅଦଳବଦଳ ପ୍ରକ୍ରିୟା କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏହାକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଶୁକ୍ରବାର ସକାଳୁ ଏହି ବନ୍ଦୀ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆମେରିକା କହିଛି। ପ୍ରଥମ ପର୍ଯ୍ୟାୟରେ ମହିଳା ଓ ଶିଶୁମାନଙ୍କୁ ଉଭୟ ପକ୍ଷ ମୁକ୍ତ କରିବେ। ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ହମାସ ଆତଙ୍କବାଦୀମାନେ କେଉଁ ପଣବନ୍ଦୀଙ୍କୁ ମୁକ୍ତ କରିବେ ତାର ତାଲିକା ଇସ୍ରାଏଲ ନିକଟରେ ପହଞ୍ଚି ନାହିଁ। ବୁଧବାର ସନ୍ଧ୍ୟାରେ ଏହି ତାଲିକା ପହଞ୍ଚିବାର ଥିଲା। ମାତ୍ର ତାଲିକା ନ ପହଞ୍ଚିବାରୁ ଏହି ଅଦଳବଦଳ କାର୍ଯ୍ୟ ବିଳମ୍ବିତ ହୋଇଛି। ହମାସ ଯଦି ପଣବନ୍ଦୀଙ୍କ ତାଲିକା ଦେବାରେ ବିଳମ୍ବ କରେ ତେବେ ବୁଝାମଣା କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବ। ତେବେ ଇସ୍ରାଏଲ ଯେଉଁ ବୁଝାମଣାକୁ ଅନୁମୋଦନ କରିଛି ତାହା ବୈଧ ରହିଛି ଓ କାର୍ଯ୍ୟକାରୀ ହେବା ନିଶ୍ଚିତ ବୋଲି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଆଡ୍ରିଏନ ୱାଟସନ କହିଛନ୍ତି।

Breaking News