Report Card Odisha

| Daily Odia News

ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକା, ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା ହୋଇଛି। ମଙ୍ଗଳବାର ବିଲମ୍ବିତ ରାତିରେ ଉଭୟ ପକ୍ଷ ମଧ୍ୟରେ ଏହି ଅସ୍ତ୍ରବିରତି ପାଇଁ ସମ୍ମତି ପ୍ରକାଶ ପାଇଛି। ଏହି ଅସ୍ତ୍ରବିରତି ସହିତ ଇରାନ ଆନ୍ତର୍ଜାତିକ ବାଣିଜ୍ୟ କାରବାର ପାଇଁ ବନ୍ଦ ରଖିଥିବା ହର୍ମୁଜ ପ୍ରଣାଳୀକୁ ଖୋଲିଥିଲା। ମାତ୍ର କିଛି ଘଣ୍ଟା ପରେ ଇରାନ ଏହାକୁ ବନ୍ଦ କରିଥିବା ସୂଚନା ମିଳିଛି। ଏଣେ ଇରାନ-ଆମେରିକା ଦୁଇ ସପ୍ତାହର ଅସ୍ତ୍ର ବିରତି ଘୋଷଣା ପରେ ମଧ୍ୟ ଇସ୍ରାଏଲ ତା’ର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଛି। ଲେବାନନ ଉପରେ ଇସ୍ରାଏଲ ଘନଘନ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ୮୦ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି। ଏଥିରେ ଉତ୍‌କ୍ଷିପ୍ତ ଇରାନ ହର୍ମୁଜ ପ୍ରଣାଳୀରେ ପଣ୍ୟ କାରବାରକୁ ରୋକିଛି। ବିନା ଅନୁମତିରେ ଯିଏ ଏହି ପ୍ରଣାଳୀରେ ପ୍ରବେଶ କରିବ ତାକୁ ଉଡ଼ାଇ ଦେବୁ ବୋଲି ଇରାନର ଚେତାବନୀ ନୂଆ ସଙ୍କଟ ସୃଷ୍ଟି କରିଛି। ଏପରିକି ଆମେରିକୀୟ ମିତ୍ର ଉପସାଗରୀୟ ରାଷ୍ଟ୍ର ୟୁଏଇ, ବାହାରିନ ଓ କୁଏତ ଉପରେ ଘନଘନ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ। ଅନ୍ୟପକ୍ଷରେ ଇରାନକୁ ସହଯୋଗ କରୁଥିବା ରାଷ୍ଟ୍ରଗୁଡ଼ିଙ୍କୁ ଚେତାବନୀ ଦେଇଛି ଆମେରିକା। ଇରାନକୁ ଅସ୍ତ୍ରଶସ୍ତ୍ର ସହାୟତା କଲେ ଆମେରିକା ସେମାନଙ୍କ ଉପରେ ୫୦ପ୍ରତିଶତ ଶୁଳ୍କ ଲଗାଇବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି। ଫଳରେ ସକାଳେ ଦୁଇ ସପ୍ତାହ ଧରି ଆମେରିକା ଓ ଇରାନ ମଧ୍ୟରେ ଯେଉଁ ଯୁଦ୍ଧ ବିରତି ଘୋଷଣା ହୋଇଥିଲା ତାହାକୁ ଧକ୍କା ଲାଗିଛି।ଅନ୍ୟପକ୍ଷରେ ଗତକାଲି ବିଳମ୍ବିତ ରାତିରୁ ଚାଲିଥିବା ମଧ୍ୟସ୍ଥତା ଆଲୋଚନା ଫଳରେ ସକାଳେ ଦୁଇ ସପ୍ତାହ ପାଇଁ ଅସ୍ତ୍ର ବିରତି ହେବ ବୋଲି ଉଭୟପକ୍ଷ ସମ୍ମତ ହୋଇଥିଲେ। ଫଳରେ ୪୦ଦିନ ଧରି ଚାଲିଥିବା ଭୟଙ୍କର ଯୁଦ୍ଧରେ ଏକ ବଡ ବିରତି ଆସିବା ନେଇ ଆଶା ସଞ୍ଚାର ହୋଇଥିଲା। ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ସାମରିକ ଅଭିଯାନ ପରେ ସମଗ୍ର ମଧ୍ୟପ୍ରାଚ୍ୟକୁ ଯୁଦ୍ଧର କଳାବାଦଲ ଢାଙ୍କି ଯାଇଥିଲା। ପୂର୍ବରୁ କେବଳ ଆମେରିକା ଓ ଇରାନ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୧୫ ଦିନର ଅସ୍ତ୍ରବିରତି ହୋଇଥିଲା। ମାତ୍ର ଏହି ଅସ୍ତ୍ରବିରତିକୁ ଇସ୍ରାଏଲ ସମର୍ଥନ କରି ନଥିଲା। ଅସ୍ତ୍ରବିରତି ସତ୍ତ୍ବେ ଇରାନ ଉପରେ ଇସ୍ରାଏଲ ଆକ୍ରମଣ ଜାରି ରଖିଥିଲା। ସେହିପରି ଇରାନ ମଧ୍ୟ ଏହାର ସାମୁଦ୍ରିକ ପଡୋଶୀ ଓ ଇସ୍ରାଏଲ ଉପରେ ଆକ୍ରମଣ ଚଳାଇଥିଲା। ମାତ୍ର ମଙ୍ଗଳବାର (ଏପ୍ରିଲ ୭) ମଧ୍ୟରାତ୍ରରୁ ଯେଉଁ ଅସ୍ତ୍ରବିରତି ହୋଇଛି ତାକୁ ଇସ୍ରାଏଲ ମଧ୍ୟ ସମର୍ଥନ କରିଛି। ଅସ୍ତ୍ରବିରତି ପରେ ଯୁଦ୍ଧ ବନ୍ଦ ରହିଛି। ମାତ୍ର ଏହି ଅସ୍ତ୍ରବିରତିରେ ଲେବାନନ୍‌ର ହେଜବୋଲ୍ଲାକୁ ସାମିଲ କରାଯାଇ ନାହିଁ। ତେଣୁ ହେଜବୋଲ୍ଲା ଉପରେ ଇସ୍ରାଏଲ ଏହାର ଆକ୍ରମଣ ଜାରି ରଖିଛି।ପାକିସ୍ତାନର ମଧ୍ୟସ୍ଥତାରେ ଏହି ଅସ୍ତ୍ରବିରତି ହୋଇଥିବା କୁହାଯାଇଛି। ପାକିସ୍ତାନ ମୁଖ୍ୟ ମଧ୍ୟସ୍ଥତାର ଭୂମିକା ନିର୍ବାହ କରିଥିବାବେଳେ ଏଥିରେ ଚୀନ, କାତାର ଓ ତୁର୍କୀ ସହଯୋଗ କରିଥିଲେ। ତେବେ ଇରାନକୁ ମନାଇବା ଦିଗରେ ଚୀନ ମୁଖ୍ୟ ଭୂମିକା ନିର୍ବାହ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଥିଲେ ଯେ ଯଦି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଇରାନ ଶାନ୍ତି ପାଇଁ ରାଜି ନହୁଏ, ତେବେ ଏକ ସମ୍ପୂର୍ଣ୍ଣ ସଭ୍ୟତା ଶେଷ ହୋଇଯିବ। ଏହି ଧମକର କିଛି ଘଣ୍ଟା ପୂର୍ବରୁ ଇରାନ ଯୁଦ୍ଧବିରତି ପାଇଁ ସମ୍ମତି ଜଣାଇଥିଲା। ଆସନ୍ତା ଶୁକ୍ରବାର ଠାରୁ ପାକିସ୍ତାନର ଇସଲାମାବାଦରେ ଏକ ସ୍ଥାୟୀ ଶାନ୍ତି ଚୁକ୍ତି ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଆରମ୍ଭ ହେବ। ଏହି ଯୁଦ୍ଧବିରତି ବିଶ୍ୱ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଛି। ବିଶେଷ କରି ଆନ୍ତର୍ଜାତିକ ବଜାରରେ ତୈଳ ଦର ବଢୁଥିବା ସମୟରେ ଏହି ଅସ୍ତ୍ରବିରତି ଦରବୃଦ୍ଧିକୁ ରୋକିବାରେ ସହାୟକ ହୋଇଛି। ଅସ୍ତ୍ରବିରତି ପରେ ବୁଧବାର ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ୧୩ରୁ ୧୫% ହ୍ରାସ ପାଇ ବ୍ୟାରେଲ ପିଛା ୯୫ ଡଲାରରେ ପହଞ୍ଚିଛି। ସେହିପରି ଭାରତ ସମେତ ବିଶ୍ବ ଷ୍ଟକ୍ ମାର୍କେଟରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ଅସ୍ତ୍ରବିରତି ସାମୟିକ ଥିବାରୁ ଏହା ସ୍ଥାୟୀ ଶାନ୍ତିରେ ପରିଣତ ହେବ କି ନାହିଁ, ତାହା ଆଗାମୀ ଦିନର ଆଲୋଚନା ଉପରେ ନିର୍ଭର କରେ।

Breaking News