Report Card Odisha

| Daily Odia News

ଆସିବ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଖୁବ୍‌ଶୀଘ୍ର ଆସିବ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ । କ୍ୟାବିନେଟ୍‌ ଅନୁମୋଦନ ମିଳିବାପରେ ଚଳିତ ବିଧାନସଭା ଅଧିବେଶନରେ ଏହି ବିଲ୍ ଉପସ୍ଥାପନ କରାଯିବ। ହାଇକୋର୍ଟଙ୍କୁ ରାଜ୍ୟ ସରକାର ଏ ସମ୍ପର୍କରେ ଅବଗତ କରିଛନ୍ତି। ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନଭେମ୍ବର ୨୩ର ତଥ୍ୟ ଅନୁସାରେ ଓଡ଼ିଶା ଆପାର୍ଟମେଣ୍ଟ (ଓନର୍‌ସିପ୍‌ ଆଣ୍ଡ୍‌ ମ୍ୟାନେଜମେଣ୍ଟ) ବିଲ୍‌ର ଡ୍ରାଫ୍ଟ ଆଇନ ବିଭାଗ ନିକଟରେ ଦାଖଲ କରାଯାଇଛି। ଏଥିପାଇଁ ବିଭିନ୍ନ ବିଭାଗ ସହିତ ଆଡଭୋକେଟ ଜେନେରାଲଙ୍କ ସହ ଆଲୋଚନା କରାଯାଇଛି। ଆଇନ ବିଭାଗ ନିକଟରୁ ଚୂଡ଼ାନ୍ତ ବିଲ୍ ମିଳିବା ପରେ ରାଜ୍ୟ କ୍ୟା‌ବିନେଟଙ୍କ ଅନୁମୋଦନ ପାଇଁ ତ୍ବରିତ୍‌ ପଦକ୍ଷେପ ନିଆଯିବ। କ୍ୟାବିନେଟ୍‌ ଅନୁମୋଦନ ମିଳିବାପରେ ଚଳିତ ବିଧାନସଭା ଅଧିବେଶନରେ ଏହି ବିଲ୍ ଉପସ୍ଥାପନ କରାଯିବ ବୋଲି ହାଇକୋର୍ଟଙ୍କୁ ରାଜ୍ୟ ସରକାର ଅବଗତ କରାଇଛନ୍ତି। ଏହି ମର୍ମରେ ରାଜ୍ୟ ନଗରଉନ୍ନୟନ ବିଭାଗ ପକ୍ଷରୁ ଏକ ଲିଖିତ ନୋଟ୍‌କୁ ସରକାରୀ ଓକିଲ ହାଇକୋର୍ଟରେ ଉପସ୍ଥାପନ କରିଥିଲେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୩, ଜାନୁଆରି ୩କୁ ଧାର୍ଯ୍ୟ କରିବା ସହ ଏହି ସମୟ ମଧ୍ୟରେ ଉପରୋକ୍ତନୂଆ ଆଇନ ଆସିବ ବୋଲି ଆଶାବ୍ୟକ୍ତ କରିଛନ୍ତି | ଅନ୍ୟପଟେ, ଗତ ଅଗଷ୍ଟ୧୬ରେ ଆଇଜିଆରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ନେଇ ଆଜି ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଆପତ୍ତି ଉଠାଯାଇଥିଲା। ଆପାର୍ଟମେଣ୍ଟ ସଂପୂର୍ଣ୍ଣ ହେବା ସାର୍ଟିଫକେଟ ଓ ଅକୁପାନ୍ସି ସାର୍ଟିଫକେଟ ହାସଲକୁ ନେଇ ଏହି ବିଜ୍ଞପ୍ତିରେ ଦ୍ୱନ୍ଦ୍ବ ରହିଛି ବୋଲି ଅଭିଯୋଗ ହୋଇଥିଲା। ତେବେ ଆପାର୍ଟମେଣ୍ଟ ସଂପୂର୍ଣ୍ଣ ହେବା କେଉଁ ଅର୍ଥରେ ବିବେଚନା କରାଯିବ, ସେ ନେଇ ଏକ ସପ୍ତାହ ଭିତରେ ଆଇଜିଆର୍‌ ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୭ର ନିର୍ଦ୍ଦେଶ ଅନୁସାରେ ଏହି ପ୍ରସଙ୍ଗରେ ଆଇଜିଆର୍‌ଙ୍କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି। ଏହି ପ୍ରସଙ୍ଗରେ ଡିସେମ୍ବର ୭ରେ ପରବର୍ତ୍ତୀ ଶୁଣାଣି କରାଯିବ। ବିମଳେନ୍ଦୁ ପ୍ରଧାନ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ଓ ଓରେରା ତରଫରୁ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

Breaking News