Report Card Odisha

| Daily Odia News

୨୮ ରେ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ…..

ରିପୋର୍ଟ କାର୍ଡ / ପୁରୀ

ଆସନ୍ତା ୨୮ ତାରିଖରେ ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। କାର୍ତ୍ତିକ ପୂର୍ଣ୍ଣିମା ପରଦିନ ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି । ତେବେ ପର୍ଯ୍ୟାୟକ୍ରମେ ସ୍କାନିଂ କରାଯିବା ପରେ କେଉଁଠି ଫାଟ ରହିଛି ତାହା ଜଣାପଡ଼ିବ । ଶନିବାର ପୁରୀର ନୀଳାଦ୍ରି ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ, ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କେତେକ ଗୁରତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି ଏବେ କାର୍ତ୍ତିକ ମାସରେ ବଡ ଦେଉଳରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବାରୁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ। ପୂର୍ଣ୍ଣିମା ପରଦିନଠାରୁ ଲେଜର ସ୍କାନିଂ ଆରମ୍ଭ କରାଯିବ ବୋଲି ଏଏସଆଇର ଅଧୀକ୍ଷକ ଡି. ବି ଗଡନାୟକ ପ୍ରକାଶ କରିଛନ୍ତି । ତେବେ ରତ୍ନଭଣ୍ଡାର ଖୋଲିବା ନେଇ ହାଇ ଲେବୁଲ କମିଟି ଗଠନ କରାଯାଇ ନଥିବା ଶ୍ରୀ ଦାସ କହିଛନ୍ତି । ଅନ୍ୟପକ୍ଷରେ ପରିକ୍ରମା ପ୍ରକଳ୍ପ ଲୋକର୍ପଣ ବେଳେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଏକ ଯଜ୍ଞ ମଣ୍ଡପ ନିର୍ମାଣ କରାଯିବାକୁ ସ୍ଥିର ହୋଇଛି । ଏହି ସମୟରେ ରାଜ୍ୟର ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କୁ ପୁରୀ ଆସିବାକୁ ଅନୁରୋଧ କରାଯିବ। ଶ୍ରୀଜୀଉଙ୍କର ନୀତିକାନ୍ତି ସବୁକୁ ନିର୍ଦ୍ଧାରୀତ ସମୟରେ ଶେଷ କରିବା , ବାଉଳି ମଠର ଉନ୍ନତିକରଣ, ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଓ ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ବିତ କରିବା, ଶ୍ରୀମନ୍ଦିର ପରିସରର ୪ଟି ସ୍ଥାନରେ ଦାନବାକ୍ସ ବସାଇବା, ସେବକ କଲ୍ୟାଣ ଯୋଜନାର ଅର୍ଥରାଶୀ ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଓବିସିସି କର୍ତ୍ତୃପକ୍ଷ ନିର୍ଦ୍ଧାରୀତ ସମୟ ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲାପାଳ, ଏସ୍‌‌ପିଙ୍କ ସମେତ ଓବିସିସି ଏବଂ ଏଏସଆଇର ଅଧିକାରୀମାନେ ଯୋଗ ଦେଇଥିଲେ।

Breaking News