Report Card Odisha

| Daily Odia News

ଜରୁରୀ ସେବାକୁ ଇନ୍ଧନ ମନା କଲେ ଜେଲ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକ ବିଦ୍ୟୁତ ବିଭ୍ରାଟ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ପାଇଁ ଡିଜି ସେଟ୍‌ ଏବଂ ପରିବହନ ପାଇଁ ପେଟ୍ରୋଲ/ଡିଜେଲ ଉପରେ ନିର୍ଭର କରିଥାନ୍ତି। ଉପଯୁକ୍ତ ସମୟରେ ପେଟ୍ରୋଲ କିମ୍ବା ଡିଜେଲ ଅଭାବରୁ ଚିକିତ୍ସା ସେବା ଏବଂ ରୋଗୀସେବାରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ ଏବଂ ମାନବ ଜୀବନ ହାନି ମଧ୍ୟ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଖୋରଧା ଜିଲାପାଳ ତଥା ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ ଅମ୍ରିତ ଋତୁରାଜ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୩୪(ଇ) ଅନୁଯାୟୀ ଜିଲାର ସମସ୍ତ ତୈଳ ବିପଣନ କମ୍ପାନୀ, ଖୁଚୁରା ବିକ୍ରେତା ଏବଂ ଡିଲରମାନଙ୍କୁ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଇନ୍ଧନ (ଡିଜେଲ/ପେଟ୍ରୋଲ) ଯୋଗାଣ କରିବାକୁ ନିର୍ଦେଶ ଜାରି କରିଛନ୍ତି।ହସ୍ପିଟାଲ, ପଞ୍ଜିକୃତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ, ଅଗ୍ନିଶମ ସେବା, ଆମ୍ବୁଲାନ୍ସ, ଶିକ୍ଷାନୁଷ୍ଠାନ ଛାତ୍ରାବାସ ପରି ସଂସ୍ଥାକୁ ଇନ୍ଧନ ଦେବା ପାଇଁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ ଏହି ତୈଳ ଯୋଗାଣକାରୀ ସଂସ୍ଥା ଉପରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିର୍ଦେଶର ଅବମାନନା କଲେ ଏକବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଜୋରିମାନା ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ। ଏପରି ବାଧା ସୃଷ୍ଟି ଦ୍ୱାରା ଜୀବନ ହାନି କିମ୍ବା ଆକସ୍ମିକ ବିପଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏହି ଆଇନର କଠୋର ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Breaking News