Report Card Odisha

| Daily Odia News

ଇସ୍ରାଏଲ୍‌-ପାଲେଷ୍ଟାଇନର ସ୍ଥାୟୀ ସମାଧାନ ପାଇଁ ଜୟଶଙ୍କରଙ୍କ ଆହ୍ବାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅକ୍ଟୋବର ୭ରେ ଇସ୍ରାଏଲ୍‌ ଉପରେ ହମାସ୍‌ର ଆକ୍ରମଣ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ଅଭିହିତ କରିବା ସହ ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ମଧ୍ୟରେ ସ୍ଥାୟୀ ସମାଧାନ ପାଇଁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆହ୍ବାନ ଦେଇଛନ୍ତି। ମ୍ୟୁନିକ୍‌ ସୁରକ୍ଷା ସମ୍ମିଳନୀରେ, ଆମେରିକାର ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଓ ଜର୍ମାନୀର ବିଦେଶ ବ୍ୟାପାର ମନ୍ତ୍ରୀ ଆନାଲେନା ବାୟେରବୋକ୍‌ଙ୍କ ଉପସ୍ଥିତିରେ ଜୟଶଙ୍କର କହିଛନ୍ତି ଯେ ଇସ୍ରାଏଲ-ପାଲେଷ୍ଟାଇନ ବିବାଦର ସ୍ଥାୟୀ ସମାଧାନ ହିଁ ସମୟର ଆହ୍ବାନ। ପ୍ରଥମ କଥା ହେଲା, ଅକ୍ଟୋବର ୭ରେ ଯାହା ଘଟିଲା ତାହା ଆତଙ୍କବାଦୀ କାର୍ଯ୍ୟକଳାପ ଅଟେ ଏବଂ ଏହାକୁ କେହି ଖଣ୍ଡନ କରିପାରିବେ ନାହିଁ। ଅନ୍ୟପକ୍ଷରେ ଆତଙ୍କବାଦୀ ଆକ୍ରମଣର ଜବାବରେ ଇସ୍ରାଏଲ୍‌ର କାର୍ଯ୍ୟାନୁଷ୍ଠାନରେ ସାଧାରଣ ନାଗରିକଙ୍କ ମୃତାହତକୁ ରୋକିବା ପାଇଁ ଇସ୍ରାଏଲ୍‌ ଗୁରୁତ୍ବ ଦେବା କଥା। ଆନ୍ତର୍ଜାତିକ ମାନବିକ ଆଇନକୁ ଇସ୍ରାଏଲ୍‌ ପାଳନ କରିବା ଉଚିତ। ଫଳପ୍ରଦ ପଦକ୍ଷେପ ପାଇଁ ପ୍ରଥମେ ହମାସ୍‌ ସମସ୍ତ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରିବା ଆବଶ୍ୟକ। ରିଲିଫ୍‌ ପାଇଁ ମାନବୀୟ କରିଡର ଗଠନ କରିବା ଓ ଏଭଳି ଘଟଣା ଯେଭଳି ପୁନର୍ବାର ନଘଟେ ସେଥିପାଇଁ ଏକ ସ୍ଥାୟୀ ସମାଧାନ କରିବାକୁ ହେବ ବୋଲି ଜୟଶଙ୍କର ମତ ଦେଇଛନ୍ତି। ‘ଦୁଇ ରାଷ୍ଟ୍ର’ ସମାଧାନ ନେଇ ଭାରତ ସର୍ବଦା ବିଶ୍ବାସ କରିଆସିଛି। ଏହି କଥାକୁ ବିଶ୍ବର ଅନେକ ରାଷ୍ଟ୍ର ବର୍ତମାନ ଅନୁଭବ କରୁଛନ୍ତି। ଏ ଦିଗରେ ତ୍ବରିତ ପଦକ୍ଷେପ ହିଁ ଯୁଦ୍ଧଜନିତ ବିପର୍ଯ୍ୟୟ ଏବଂ ଯୁଦ୍ଧର ପ୍ରସାରକୁ ରୋକିବ ବୋଲି ଜୟଶଙ୍କର କହିଛନ୍ତି।

Breaking News