ରିପୋର୍ଟ କାର୍ଡ / ଝାରଖଣ୍ଡ
ଜିଲ୍ଲା ଜଜ୍ଙ୍କୁ ଗାଡି ଧକ୍କା କରି ହତ୍ୟା | ଏଭଳି ଘଟଣା ଘଟିଛି ଧାନବାଦରରେ | ଏହି ଘଟଣାରେ ଜଣେ ଅଟୋ ଡ୍ରାଇଭର ଏବଂ ତାଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି । ଘଟିବାର ପରେ ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହିତ ଏକ ହତ୍ୟା ମାମଲା ରୁଜ୍ଜୁକରି ତଦନ୍ତ ଆରମ୍ଭ କରିଛି। ଅତିରିକ୍ତ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦ ଧାନବାଦରେ ଛଅମାସ ତଳେ ନିଯୁକ୍ତି ପାଇଥିଲେ। ସକାଳୁ ସେ ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ଏକ ଅଟୋରିକ୍ସା ଜାଣିଶୁଣି ତାଙ୍କୁ ଧକ୍କାଦେଇଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଥିଲା। ଅଟୋ ଧକ୍କାଦେଇ ପଳାଇଯାଇଥିଲା। ଧାନବାଦର ମାଜିଷ୍ଟ୍ରେଟ କଲୋନି ନିକଟରେ ଏହି ଘଟଣା ଘଟିଥିଲା। ଏହାପରେ ତାଙ୍କୁ ତୁରନ୍ତ ହାସପାତାଳ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଇତିମଧ୍ୟରେ ଉତ୍ତମ ଆନନ୍ଦ ପ୍ରାତଃ ଭ୍ରମଣ ସାରି ଘରକୁ ଫେରିବାରେ ବହୁ ବିଳମ୍ବ ହେବାରୁ ତାଙ୍କ ଘରଲୋକ ତାଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ। ପରେ ସେମାନେ ପୋଲିସ ନିକଟରେ ପହଞ୍ଚି ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତାଙ୍କୁ ଖୋଜିବା ଆରମ୍ଭ ହୋଇଥିଲା। ଏହାପରେ ପୋଲିସ ଦୁର୍ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା। ପୋଲିସ ପରିବାର ଲୋକଙ୍କ ସହିତ ଡାକ୍ତରଖାନାରେ ପହଞ୍ଚିବା ପରେ ଜଜ୍ଙ୍କ ମୃତଦେହକୁ ଚିହ୍ନଟ କରାଯାଇଥିଲା। ପ୍ରାଥମିକ ଅବସ୍ଥାରେ ଏହା ଏକ ଦୁର୍ଘଟଣା ମନେ କରାଯାଉଥିବାବେଳେ ସିସିଟିଭି ଫୁଟେଜରୁ ଏହା ଏକ ହତ୍ୟା ଘଟଣା ବୋଲି ଅନୁମାନ କରାଯାଇ ତଦନୁଯାୟୀ ତଦନ୍ତ ଆରମ୍ଭ କରାଯାଇଥିଲା। ଝାଡଖଣ୍ଡ ହାଇକୋର୍ଟ ଏହି ଘଟଣାରେ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ନିଜଆଡୁ ଏହି ମାମଲା ରୁଜ୍ଜୁ କରି ପୋଲିସ ଏବଂ ସଂପୃକ୍ତ ଜିଲ୍ଲାର ଅଧିକାରୀଙ୍କୁ ଉଚ୍ଚ ନ୍ୟାୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ବିକାଶ ସିଂ ଏହାକୁ ବିଚାର ବିଭାଗର ସ୍ୱାଧୀନତା ଉପରେ ଜଘନ୍ୟ ଆକ୍ରମଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଜଣେ କୁଖ୍ୟାତ ଅପରାଧୀର ଜାମିନ ଖାରଜ କରିବା ପରେ ଦେଶରେ ଜଣେ ବିଚାରପତିଙ୍କୁ ଯଦି ଏଭଳି ହତ୍ୟା କରାଯାଏ ତେବେ ତାହା ବିଚାର ବିଭାଗୀୟ ବ୍ୟବସ୍ଥା ପ୍ରତି ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ।
More Stories
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..
ଆଦାନୀଙ୍କ ନିୟନ୍ତ୍ରଣରେ ମୋଦୀ…..
ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ…..