ରିପୋର୍ଟ କାର୍ଡ / କେନ୍ଦୁଝର
ଦୁଇଦିନର ଉଦ୍ୟମ ପରେ ଜଙ୍ଗଲ ମଣିଷକୁ କାବୁ କରିବାରେ ସଫଳ ହୋଇଛନ୍ତି ସାମିଲ ଥିବା କର୍ମଚାରୀମାନେ | ଦୁଇବର୍ଷ ହେବ ଭାଲୁ ଭର୍ତ୍ତି ପାହାଡ଼ ଉପରେ ରହୁଥିଲେ ବାବୁ। ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିର୍ଦେଶକ୍ରମେ ଆଜି ଏହି ‘ଜଙ୍ଗଲ ମ୍ୟାନ୍ଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ- କେନ୍ଦୁଝର ସହର ଉପକଣ୍ଠ ନେଲୁଙ୍ଗ ଗ୍ରାମ କଡ଼ରେ ନେଲୁଙ୍ଗ ହୁଡ଼ିରେ ଅନେକ ଗଛ ଓ ଏକାଧିକ ଗୁମ୍ଫା ରହିଛି। ଗୁମ୍ଫାଗୁଡ଼ିକରେ ଏକାଧିକ ଭାଲୁ ରହିଥାନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ଦୁଇବର୍ଷ ହେବ ନେଲୁଙ୍ଗ ଗାଁର ସାଗର ନାଏକ ଓରଫ ବାବୁ ନେଲୁଙ୍ଗ ହୁଡ଼ିରେ ଥିବା ଗୁମ୍ଫାରେ ରହିଆସୁଥିଲେ। ତାର ଚାରିପାଖରେ ଭାଲୁ ଘୂରି ବୁଲୁଥିଲେ। ମା କୁନ୍ତଳା ତାଙ୍କ ପାଖରେ ଖାଦ୍ୟ ନେଇ ପହଞ୍ଚାଉଥିଲେ। ଅନେକ ବୁଝାସୁଝା ପରେ ବି ସେ ଘରକୁ ଫେରୁ ନଥିଲେ। ଏ ସମ୍ପର୍କରେ ‘ଭାଲୁ ଭର୍ତ୍ତି ପାହାଡ଼ରେ ଦୁଇବର୍ଷ ହେଲା ବାବୁର ଖବର ପ୍ରକାଶ ପାଇବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଡିଏମ୍ଏଫ୍ ଦ୍ବାରା ପରିଚାଳିତ ‘ଆଶ୍ରୟ ଅନଷ୍ଠାନକୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଥିଲା। ଗତକାଲି ଅନୁଷ୍ଠାନର କର୍ମଚାରୀମାନେ ଏକ ଟିମ୍ ନେଇ ନେଲୁଙ୍ଗ ହୁଡ଼ିକୁ ଯାଇଥିଲେ। ସେଠାରେ ଉଦ୍ଧାରକାରୀ ଟିମ୍କୁ ଦେଖି ବାବୁ ଲୁଚି ଯାଇଥିଲେ। ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳି ନଥିଲା। ଆଜି ପୁଣି ଭୋରରୁ ଏହି ଟିମ୍ ନେଲୁଙ୍ଗ ହୁଡ଼ିକୁ ଯାଇଥିଲା। ବାବୁ ଏକ ଗୁମ୍ଫା ଭିତରେ ଶୋଇଥିବା ବେଳେ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଉଦ୍ଧାର ପରେ ପ୍ରଥମେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାପରେ ତାଙ୍କୁ ଆଶ୍ରୟ ଗୃହକୁ ନିଆଯାଇଛି।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..