Report Card Odisha

| Daily Odia News

ସହଜ ହେବ କେଦାରନାଥଙ୍କ ଦର୍ଶନ,ଲାଗିବ ୩୬ ମିନିଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମେ’ ୨ରେ ଭକ୍ତଙ୍କ ପାଇଁ ଖୋଲିବ ବାବା କେଦାରନାଥଙ୍କ ଦ୍ୱାର । ଏଥିପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ମାତ୍ର ଏତେ ବାଟ ଚାଲି ଚାଲି ଯିବା କଷ୍ଟ ହେଉଥିବାରୁ ସେମାନଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ଆଉ ଶ୍ରଦ୍ଧାଳୁଙ୍କୁ କରିବାକୁ ପଡ଼ିବନି କଷ୍ଟ । ଚାଲିବାକୁ ପଡ଼ିବନି ୨୩ କିଲୋମିଟରର ଲମ୍ବା ପାହାଡ଼ି ରାସ୍ତା । ଆପଣ ବି ଯଦି କେଦାରନାଥ ଯିବା ପାଇଁ ପ୍ଲାନ କରୁଥିବେ, ତେବେ ଆପଣଙ୍କ ପାଇଁ ସରକାର ଆଣିଦେଇଛନ୍ତି ଖୁସି ଖବର । କେନ୍ଦ୍ର କ୍ୟାବିନେଟ୍‌ରେ କେଦାରନାଥ ଏବଂ ହିମକୁଣ୍ତ ସାହେବ ଯାତ୍ରାକୁ ନେଇ ବଡ଼ ଘୋଷଣା କରାଯାଇଛି । ଖୁବଶୀଘ୍ର ଏହି ଦୁଇସ୍ଥାନରେ ରୋପ ୱେ ବ୍ୟବସ୍ଥା କରାଯିବ । ଏନେଇ ପ୍ରେସମିଟ୍‌ ଜରିଆରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର ଦେଇଛନ୍ତି । ବାବା କେଦାରନାଥଙ୍କ କଠିନ ଯାତ୍ରା ପାଇଁ ଅନେକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଇଚ୍ଛା ଥିଲେ ବି ମନ ବଳାଉ ନାହାନ୍ତି । ୨୩ କିଲୋମିଟର ପାହାଡ଼ି ରାସ୍ତା ପାର୍‌ କଲେ ମିଳେ ବାବାଙ୍କ ଦର୍ଶନ । ଏଥିପାଇଁ ଲାଗିଯାଏ ପ୍ରାୟ ୮ରୁ ୯ ଘଣ୍ଟା । କିନ୍ତୁ କେନ୍ଦ୍ର ସରକାର ଯେପରି ଶ୍ରଦ୍ଧାଳୁଙ୍କ ମନ କଥା ପଢ଼ିଦେଲା ପରି କ୍ୟାବିନେଟରେ ଏକ ବଡ଼ ଘୋଷଣା କରିଛନ୍ତି । ମୋଦି ସରକାର କେଦାରନାଥ ଧାମ ପାଇଁ ରୋପ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛନ୍ତି । ଖୁବଶୀଘ୍ର କେଦାରନାଥକୁ ରୋପ ୱେ ମାଧ୍ୟମରେ ଯାଇପାରିବେ ଶ୍ରଦ୍ଧାଳୁ । ଏହାଛଡା ହେମକୁଣ୍ଡ ରୋପ ୱେ ପ୍ରୋଜେକ୍ଟ ନିର୍ମାଣକୁ ମଞ୍ଜୁରୀ ମଧ୍ୟ ମିଳିଛି । ସୋନପ୍ରୟାଗ ଠାରୁ କେଦାରନାଥ ପର୍ଯ୍ୟନ୍ତ ୧୨.୯ କିମି ରୋପ ୱେ ନିର୍ମାଣ କରିଯିବ । ଏଥିପାଇଁ ଖର୍ଚ୍ଚ ହେବ ୪୦୮୧ କୋଟି ଟଙ୍କା । ରୋପ ୱେ ନିର୍ମାଣ ଦ୍ୱାରା କେଦାରନାଥକୁ ଯାତ୍ରା ୮/୯ ଘଣ୍ଟାରୁ ବଦଳରେ ମାତ୍ର ୩୬ ମିନିଟରେ କରିହେବ । ପ୍ରତି ଘଣ୍ଟାରେ ୧୮ ଶହ ଯାତ୍ରୀ ବାବାଙ୍କ ଦର୍ଶନ କରିପାରିବେ । ଆଉ ଦିନକରେ ମୋଟ୍‌ ୧୮ ହଜାର ଲୋକ ରୋପ ୱେ ରେ ଯାଇ ବାବାଙ୍କ ଦର୍ଶନ କରିବେ । କେବଳ କେଦାରନାଥ ଧାମ ନୁହେଁ ବରଂ ହିମକୁଣ୍ତ ସାହେବ ଯାତ୍ରା ପାଇଁ ବି ସରକାର ରୋପ ୱେ ବ୍ୟବସ୍ଥା କରାଯିପବ ବୋଲି ଘୋଷଣା କରିଛନ୍ତି । ଗୋବିନ୍ଦଘାଟରୁ ହିମକୁଣ୍ତ ସାହେବ ପର୍ୟ୍ୟନ୍ତ ୧୨.୪ କିଲୋମିଟର ରୋପ ୱେ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଯେଉଁଥି ପାଇଁ ଖର୍ଚ୍ଚ ହେବ ୨୭୩୦ କୋଟି । ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ଦୁଇଟି ପୀଠରେ ଭିଡ଼ ଜମାଇଥାନ୍ତି । ବାବା କେଦାରନାଥଙ୍କ ଦର୍ଶନ ପାଇଁ ୨୩ କିଲୋମିଟର ରାସ୍ତା ଚାଲିବାକୁ ପଡୁଥିବା ବେଳେ ହିମକୁଣ୍ତ ସାହେବଙ୍କ ପାଇଁ ବିପଦପୂର୍ଣ୍ଣ ୨୧ କିଲୋମିଟର ପାହାଡ଼ ଚଢ଼ିବାକୁ ପଡୁଥିଲା । ବର୍ଷକୁ ୬ ମାସ ପାଇଁ ବାବା କେଦାରନାଥଙ୍କ କପାଟ ଖୋଲାଯାଏ । ଆଉ ବାବାଙ୍କ ଟିକିଏ ଦର୍ଶନ ପାଇଁ ବ୍ୟାକୁଳ ହୋଇପଡ଼ନ୍ତି ଶ୍ରଦ୍ଧାଳୁ । ଏଣିକ ଆଉ କଷ୍ଟ କରିବାକୁ ପଡ଼ିବନି । ଆଗକୁ ରୋପ ୱେ କାମ ସରିଲେ, ଶ୍ରଦ୍ଧାଳୁଙ୍କ ସଂଖ୍ୟା ବି ବଢ଼ିବ । ଉତ୍ତରାଖଣ୍ତବାସୀଙ୍କ ରୋଜଗାର ବି ବଢ଼ିବ ।

Breaking News