ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏବେ ତିହାର ଜେଲରେ ବନ୍ଦୀ ଅଛନ୍ତି କେଜ୍ରିଓ୍ବାଲ। ଜେଲ ଯିବା ପରେ ସେ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ ଦାବି କରିଆସୁଥିବା ବେଳେ ତାଙ୍କୁ ପଦରୁ ହଟାଇବା ପାଇଁ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା। ଆଜି ଏହାର ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ଆବେଦନର ଶୁଣାଣି କରୁଥିବା ଦିଲ୍ଲୀ ହାଇକୋର୍ଟର ଖଣ୍ଡପୀଠ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇବେ କି ନାହିଁ ତାହା କେଜ୍ରିୱାଲଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ସେ ଚାହିଲେ ଇସ୍ତଫା ଦେଇପାରିବେ। ନଚେତ୍ ପଦରେ ରହି ଦାୟିତ୍ବ ତୁଲାଇ ପାରିବେ। ଏଥିରେ କୋର୍ଟ ହସ୍ତକ୍ଷେପ କରିବ ନାହିଁ। କେଜ୍ରିୱାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଏହା ଥିଲା ଦ୍ୱିତୀୟ ଆବେଦନ ଯାହାକୁ ହାଇକୋର୍ଟ ଖାରଜ କରିଛନ୍ତି। ହିନ୍ଦୁ ସେନାର ସାମାଜିକ କର୍ମୀ ତଥା ଜାତୀୟ ସଭାପତି ବିଷ୍ଣୁ ଗୁପ୍ତା ଏହି ଆବେଦନ କରିଥିଲେ। ସେ କହିଥିଲେ ଯେ, କେଜ୍ରିୱାଲ ଗିରଫ ହେବା ପରେ ଦିଲ୍ଲୀରେ ସରକାର ଅଚଳ ହୋଇପଡ଼ିଛି। ଏହାର ଜବାବରେ କୋର୍ଟ କହିଥିଲେ, “ଆମେ କିପରି ଘୋଷଣା କରିପାରିବୁ ଯେ ସରକାର ଅଚଳ ହୋଇପଡ଼ିଛି? ଉପରାଜ୍ୟପାଳ ଏହାର ନିଷ୍ପତ୍ତି ନେବା ପାଇଁ ସମ୍ପୂର୍ଣ୍ଣ ଦକ୍ଷ। ତାଙ୍କୁ ଆମର ମାର୍ଗଦର୍ଶନର ଆବଶ୍ୟକତା ନାହିଁ। ଆଇନ ଅନୁଯାୟୀ ସେ ଯାହା କରିବା କଥା ତାହା କରିବେ। ସେପଟେ ଅରବିନ୍ଦ କେଜ୍ରିୱାଲଙ୍କୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଦିଲ୍ଲୀର ଏକ କୋର୍ଟ, କେଜ୍ରିୱାଲଙ୍କୁ ଇଲେକ୍ଟ୍ରିକ୍ କେଟିଲ୍, ଟେବୁଲ୍ ଏବଂ ପଢିବା ପାଇଁ ଚୌକି ଦେବାକୁ ତିହାର ଜେଲକୁ କହିଛନ୍ତି। ଏଥିସହ ଜେଲ୍ ମାନୁଆଲର ଏକ କପି ମଧ୍ୟ ପ୍ରଦାନ କରିବାକୁ କୋର୍ଟ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ସେ କିଛି ସାମଗ୍ରୀ ବ୍ୟବହାର ପାଇଁ ଅନୁମତି ମାଗିଥିଲେ। ସ୍ୱତନ୍ତ୍ର ଜଜ୍ କାବେରୀ ବାୱେଜା ଆବେଦନ ଅନୁସାରେ କେଜ୍ରିୱାଲଙ୍କୁ ଏହି ସବୁ ସାମଗ୍ରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..