ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କୁ ଗତକାଲି ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଗୁରୁବାର ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି। ଏହି ମାମଲାରେ ତାଙ୍କୁ ସୁରକ୍ଷା ଦେବାଲାଗି ଦିଲ୍ଳୀ ହାଇକୋର୍ଟ ମନା କରିଦେବା ପରେ ତାଙ୍କୁ ଗିରଫ କରାଯାଇଛି। କୌଣସି ଦୁର୍ନୀତି ମାମଲାରେ ଗିରଫ ହେବାରେ କେଜ୍ରିୱାଲ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ। ଇଡିର ଏକ ଟିମ୍ ସର୍ଚ୍ଚ ୱାରେଣ୍ଟ ନେଇ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲା। ଘର ଭିତରେ ଇଡି ଅଧିକାରୀମାନେ ତାଙ୍କୁ ଜେରା କରୁଥିବା ବେଳେ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତାଙ୍କ ଘର ଭିତରକୁ କାହାକୁ ଛାଡ଼ି ନଥିଲେ ସୁରକ୍ଷା କର୍ମୀ। ଏପରିକି କେଜ୍ରିୱାଲ ଓ ତାଙ୍କ ପରିବାର ସଦସ୍ୟଙ୍କ ୫ଟି ଫୋନ୍ ଜବତ କରାଯାଇଥିଲା। ଦୁଇ ଘଣ୍ଟା ଧରି ଜେରା କରିବା ପରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା । ୮ ଜଣିଆ ତଦନ୍ତକାରୀ ଟିମ୍ ମନିଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ)ର ଧାରା ୫୦ ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବୟାନ ରେକର୍ଡ କରିଛି। ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ଆମ୍ ଆଦମୀ ପାର୍ଟି (ଏଏପି) ବିଜେପି ବିରୋଧରେ ଦେଶବ୍ୟାପୀ ବିରୋଧ କରିବାକୁ କହିଛି।କେଜ୍ରିୱାଲ୍ଙ୍କ ଗିରଫଦାରୀକୁ ଗଣତନ୍ତ୍ରର ହତ୍ୟା ଏବଂ ଏକଛତ୍ରବାଦୀ ଶାସନର ଘୋଷଣା ବୋଲି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ସେ କହିଛନ୍ତି ଯେ ଯିଏ ବିଜେପିର ଏକଛତ୍ରବାଦୀ ଶାସନକୁ ବିରୋଧ କରୁଛି ସେ ଏହି ବିରୋଧରେ ଯୋଗଦେବା ଉଚିତ୍।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..