ରିପୋର୍ଟ କାର୍ଡ / କେନ୍ଦୁଝର
କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବା ବେଳେ ହାଟଡିହି ବ୍ଲକ୍ ଧନୁର୍ଜୟପୁରରେ ବାଣ ଫୁଟାଇ ଖୁସି ମନାଉଥିଲେ ବିଜେପି ସମର୍ଥକ। ବାଣ ଫୁଟାଇବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହେବାରୁ ୫ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ୪ଜଣଙ୍କୁ କତାରେ ଆକ୍ରମଣ କରାଯାଇଥିବା ବେଳେ ଜଣକ ତୀରମାଡ଼ କରାଯାଇଛି। ଧନୁର୍ଜୟପୁର ଗ୍ରାମରେ ବିଜେପି କର୍ମୀମାନେ ବାଣ ଫୁଟାଇ ଖୁସି ମନାଉଥିଲେ। ଗ୍ରାମର ସିଲାଇ ବିରୁଆ ଓ ତାଙ୍କ ପୁଅ ଏହାକୁ ବାରଣ କରିଥିଲେ। ବାଣ ନ ଫୁଟାଇବାକୁ କହିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ବଚସା ହୋଇଥିଲା। ପରେ ବାପପୁଅ ରକ୍ତମୁଖା ହୋଇ ଉଠିଥିଲେ। ବାଣ ଫୁଟାଉଥିବା ବିଜେପି କର୍ମୀମାନଙ୍କୁ କତାରେ ଆକ୍ରମଣ କରିବା ସହ ତୀରମାଡ଼ କରିଥିଲେ। ଏଥିରେ ବିଶ୍ୱଜିତ ରାଉତ, ନାରାୟଣ ସାମଲ, ଅଶୋକ ଜେନା, ଗାଙ୍ଗୁଲି ବିରୁଆ ଗୁରୁତର ଆହତ ହୋଇଛନ୍ତି। ବିଶ୍ୱଜିତଙ୍କ ହାତ, ମୁଣ୍ଡ, ପିଠିରେ ଗଭୀର କ୍ଷତ ହୋଇଥିବା ବେଳେ ଗାଙ୍ଗୁଲିଙ୍କ ମୁଣ୍ଡ ଓ ପିଠି, ଅଶୋକ ଜେନାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେମାନଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ନାରାୟଣ ସାମଲଙ୍କ ହାତରେ ତୀର ପଶିଯାଇଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ବିଶ୍ୱଜିତ ସୋସୋ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..