ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗର କଲକାତାସ୍ଥିତ ଆର.ଜି.କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ସୋମବାର ସିବିଆଇ ପକ୍ଷରୁ ସିଆଲଦାସ୍ଥିତ ଅଦାଲତରେ ଅଭିଯୋଗଫର୍ଦ ଦାଖଲ କରାଯାଇଛି। ଅଭିଯୋଗ ଫର୍ଦରେ ସଞ୍ଜୟ ରାୟକୁ ମୁଖ୍ୟ ଏବଂ ଏକମାତ୍ର ଅପରାଧୀ ଭାବେ ବିବେଚନା କରାଯାଇଛି। ଅଗଷ୍ଟ ୯ ରେ ହସ୍ପିଟାଲର ସେମିନାର କକ୍ଷରେ ମହିଳା ଡାକ୍ତରଙ୍କୁ ସଞ୍ଜୟ ପ୍ରଥମେ ବଳାତ୍କାର ଓ ପରବର୍ତ୍ତୀ ସମୟରେ ହତ୍ୟା କରିଛି ବୋଲି ଅଭିଯୋଗ ଫର୍ଦରେ ଉଲ୍ଲେଖ କରାଯାଇଛି। ତେବେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର କରାଯାଇଛି ବୋଲି ଯେଉଁ ଅଭିଯୋଗ ଉଠୁଛି, ସେ ସମ୍ପର୍କରେ ଅଭିଯୋଗ ଫର୍ଦରେ କିଛି ଉଲ୍ଲେଖ କରାଯାଇନାହିଁ। ଅବଶ୍ୟ ମହିଳା ଡାକ୍ତର ଗଣବଳାତ୍କାରର ଶିକାର ହୋଇଛନ୍ତି କି ନାହିଁ ଏବଂ ଏଥିରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଅଛନ୍ତିି କି ନାହିଁ, ତାହାକୁ ନେଇ ତଦନ୍ତ ଜାରି ରହିଛି ଏବଂ ଅାଗାମୀ ଦିନରେ ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ସିିବିଆଇ ଆଶାବ୍ୟକ୍ତ କରିଛି। ସିବିଆଇ ପକ୍ଷରୁ ଏ ପର୍ଯ୍ୟନ୍ତ ୨୦୦ ଲୋକଙ୍କ ବୟାନ ରେକର୍ଡ କରାଯାଇଥିବା କୁହାଯାଇଛି। ସୂଚନାଯୋଗ୍ୟ ଅଗଷ୍ଟ ୯ରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ପରେ ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। କଲକାତା ହାଇକୋର୍ଟଙ୍କ ନିର୍ଦେଶ ପରେ ଏହାର ତଦନ୍ତଭାର ସିବିଆଇ ଉପରେ ନ୍ୟସ୍ତ କରାଯାଇଥିଲା। ସିବିଆଇ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରାୟ, ଆର.ଜି.କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିସାରିଛି। ଅପରପକ୍ଷରେ ମୃତ ଡାକ୍ତରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ପଶ୍ଚିମବଙ୍ଗର କନିଷ୍ଠ ଡାକ୍ତରମାନେ ଦୀର୍ଘଦିନ ଧରି ବିକ୍ଷୋଭ ଚଳାଇଥିଲେ। ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା ନିମନ୍ତେ କନିଷ୍ଠ ଡାକ୍ତରଙ୍କୁ ଆମନ୍ତ୍ରଣ କରିଥିଲେ। ଡାକ୍ତରଙ୍କ କେତେକ ଦାବିକୁ ରାଜ୍ୟ ସରକାର ମାନି ନେବାପରେ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା। ତେବେ ଅନ୍ୟ ଦାବିଗୁଡିକ ପୂରଣ ହୋଇନଥିବାରୁ କନିଷ୍ଠ ଡାକ୍ତରଙ୍କ ତରଫରୁ ଶନିବାରଠାରୁ କଲକାତାର ଧରମତାଲାରେ ଆମରଣ ଅନଶନ ଆରମ୍ଭ କରାଯାଇଛି। ଅପରପକ୍ଷରେ କଲକାତା ଡାକ୍ତରଙ୍କ ଅନଶନକୁ ସମର୍ଥନ ଜଣାଇବ ବୋଲି ଦିଲ୍ଲୀ ଏମ୍ସ ଡାକ୍ତର ସଂଘ ସୂଚନା ଦେଇଛି।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….