Report Card Odisha

| Daily Odia News

ଛାତ୍ର ଜୀବନ ହାରିବା ଘଟଣାରେ କୋଚିଙ୍ଗ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ନୁହେଁ, ଅଭିଭାବକ ଦାୟୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରବେଶିକା ପରୀକ୍ଷା ନିମନ୍ତେ କୋଚିଙ୍ଗ୍‌ ପ୍ରତିଷ୍ଠାନ ନୁହେଁ, ଅଭିଭାବକମାନେ ପିଲାମାନଙ୍କ ଉପରେ ଅଯଥା ଚାପ ପକାଉଛନ୍ତି ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ରାଜସ୍ଥାନର କୋଟା ଅଞ୍ଚଳ ଭଳି ପ୍ରବେଶିକା ପରୀକ୍ଷା ନିମନ୍ତେ ଚାଲିଥିବା ଘରୋଇ କୋଚିଙ୍ଗ୍‌ ସେଣ୍ଟର୍‌ ଉପରେ କଟକଣା ଜାରି କରାଯିବା ସଂକ୍ରାନ୍ତରେ ଜନସ୍ବାର୍ଥ ମାମଲା ଆବେଦନ ଶୁଣାଣି କରିବା ବେଳେ ସୁପ୍ରିମ୍‌ କୋର୍ଟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। କୋଚିଙ୍ଗ୍‌ ସେଣ୍ଟର୍‌ଦ୍ବାରା ଭାରାକ୍ରାନ୍ତ ହୋଇ କିଛି ବର୍ଷ ହେବ କୋଟାରେ କେତେକ ଛାତ୍ର ଜୀବନ ହରାଉଥିବା ରିପୋର୍ଟ ପ୍ରକାଶ ପାଇ ଆସୁଛି। ସୋମବାର ଦିନ ବିଚାରପତି ସଞ୍ଜୀବ ଖାନ୍ନା ଓ ଏସ୍‌.ଭି.ଏନ୍‌. ଭଟ୍ଟିଙ୍କ ‘ଡିଭିଜନ୍‌ ବେଞ୍ଚ୍‌’ କହିଛନ୍ତି, କୋଟାସ୍ଥିତ କୋଚିଙ୍ଗ୍‌ ପ୍ରତିଷ୍ଠାନଗୁଡ଼ିକୁ ଦୋଷ ଦେଇ ହେବନାହିଁ। ପ୍ରବଳ ପ୍ରତିଦ୍ବନ୍ଦ୍ବିତା ଚାଲିଥିବା ପରିସ୍ଥିତିରେ ଅଭିଭାବକମାନ‌େ ଅଯଥା ଚାପ ପକାଉଥିବାରୁ ଛାତ୍ରମାନେ ଆତ୍ମହତ୍ୟା କରୁଛନ୍ତି। ଅଦାଲତ ଆହୁରି ମଧ୍ୟ କହିଛନ୍ତି, କୋଚିଙ୍ଗ୍‌ ସେଣ୍ଟର୍‌ ପାଇଁ ଆତ୍ମହତ୍ୟା ଘଟଣା ଘଟୁନାହିଁ। ବାପାମାଆଙ୍କର ଅଭିଳାଷ ପୂରଣ କରିବାରେ ଅସମର୍ଥ ହୋଇ ପିଲାମାନେ ଜୀବନ ହରାଉଛନ୍ତି। ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସୁପ୍ରିମ୍‌ କୋର୍ଟ ଗୁରୁତ୍ବାରୋପ କରି କହିଛନ୍ତି। ପରୀକ୍ଷା ଅତ୍ୟନ୍ତ ପ୍ରତିଦ୍ବନ୍ଦ୍ବିତାମୂଳକ ହୋଇଗଲାଣି। ଅଭିଭାବକମାନଙ୍କ ପ୍ରତ୍ୟାଶା ବି କମ୍‌ ନୁହେଁ। ପ୍ରବେଶିକା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଅଧ ନମ୍ବର କି, ୧ ନମ୍ବର କମ୍‌ ରଖି ଅକୃତକାର୍ଯ୍ୟ ହେଉଥିବାରୁ ଚାପ ସହ୍ୟ କରିପାରୁ ନାହାନ୍ତି। ଅଦାଲତ ଆହୁରି ମଧ୍ୟ କହିଛନ୍ତି, କୋଚିଙ୍ଗ୍‌ ସେଣ୍ଟର୍‌ ନ ରହୁ ବୋଲି ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଚାହୁଁଥିଲେ ବି ସ୍କୁଲ୍‌ର ଅବସ୍ଥା ଦେଖନ୍ତୁ। ସେଠାରେ ବି ପ୍ରତିଦ୍ବନ୍ଦ୍ବିତା ପ୍ରବଳ ହେଉଥିବାରୁ ବିକଳ୍ପ ନ ପାଇ ପିଲାମାନେ କୋଚିଙ୍ଗ୍‌ ସେଣ୍ଟର୍‌କୁ ଯାଉଛନ୍ତି। ଏହା ଏକ ନୀତିଗତ ସମସ୍ୟା। ନୀତି ଗଠନ ନିମନ୍ତେ ଆମେ ରାଜ୍ୟମାନଙ୍କୁ ନିର୍ଦେଶ ଦେଇ ପାରିବୁ ନାହିଁ ବୋଲି ଖଣ୍ଡପୀଠ ଆବେଦନକାରୀଙ୍କୁ କହିଲେ। ସରକାରଙ୍କ ନିକଟରେ ଅଭିଯୋଗ କରିବାକୁ ଅଦାଲତ ପରାମର୍ଶ ଦେବାରୁ ଆବେଦନକାରୀ ଏହି ଜନସ୍ବାର୍ଥ ମାମଲା ପ୍ରତ୍ୟାହାର କରି ନେଇଛନ୍ତି।

Breaking News