ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଶ୍ଚିମବଙ୍ଗ ଉପତ୍ୟକାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପଶ୍ଚିମବଙ୍ଗ ତତ୍ସଂଲଗ୍ନ ଉତ୍ତର ଓଡ଼ିଶାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି | ଫଳରେ ଉତ୍ତର ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ରବିବାର ରାତିରୁ ବର୍ଷା ବଢ଼ିଥିବା ବେଳେ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଏହି ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହି ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଗାଙ୍ଗେୟ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଭୋରୁ ଏକ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ରହିଛି। ଏହି ଲଘୁଚାପ କ୍ଷେତ୍ର ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇଛି। ବିଶେଷ କରି ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିଛି । ଗତ ୩୬ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ୫୯ ମିମି ବର୍ଷା ହୋଇଥିବା ବେଳେ ବାରିପଦାରେ ୫୦, କେନ୍ଦୁଝରରେ ୨୦ ମିମି ବର୍ଷା ହୋଇଛି । ସେହିପରି ୧୮ ତାରିଖ ସକାଳ ସୁଦ୍ଧା ବାଲେଶ୍ବରର ଜଳେଶ୍ବର ବ୍ଳକରେ ୨୧୭, ରାଜଘାଟରେ ୧୩୫, ମୟୁରଭଞ୍ଜର ଚନ୍ଦନପୁରରେ ୧୩୪ ଓ ଜାମୋଶଳାଘାଟଠାରେ ୧୧୦ ମିମି ବର୍ଷା ଅନୁଭୂତ ହୋଇଛି ।ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍ଆର ବିଶ୍ଵାସ କହିଛନ୍ତି ଯେ ଏହି ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। କ୍ରମାଗତ ଭାବେ ଏହି ନଦୀର ଉପରମୁଣ୍ଡରେ ବର୍ଷା ହେତୁ ଜଳସ୍ତର ବୃଦ୍ଧି ପାଇପାରେ ବୋଲି ସେ କହିଛନ୍ତି। ଅନ୍ୟପଟେ ମଙ୍ଗଳବାର ସକାଳ ସାଢ଼େ ୮ଟାରୁ ବୁଧବାର ସକାଳ ସଢ଼େ ୮ଟା ମଧ୍ୟରେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହିତ ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବୁଧବାରଠାରୁ ପାଗରେ ପରିବର୍ତ୍ତନ ଆସିଥିବାର ଥିବା ବେଳେ ବର୍ଷାର ପ୍ରକୋପ ହ୍ରାସ ପାଇବ। ମାତ୍ର ଲଘୁଚାପ ଯୋଗୁଁ ଉତ୍ତର ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିଛି। ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ବେଗ ୪୦-୫୦ କିମି ରହିଛି। ବେଳେ ବେଳେ ଏହାର ଝଟକା ବୃଦ୍ଧି ପାଇ ୬୦ କିମି ପହଞ୍ଚୁଛି ଏହି ସ୍ଥିତି ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଜିଲ୍ଲାପାଳମାନଙ୍କୁ ଏସ୍ଆର୍ସିଙ୍କ କାର୍ଯ୍ୟାଳୟରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବିଶେଷ କରି ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ସହିତ ଭୂସ୍ଖଳନ ଆଦିର ମୁକାବିଲା କରିବାକୁ ଆଗୁଆ ପଦକ୍ଷେପ ନେବାକୁ କୁହାଯାଇଛି । ଏହା ସହିତ ବର୍ଷା ଜନିତ ସମସ୍ୟାର ମୁକାବିଲା ଲାଗି ୨୪ ଘଣ୍ଟିଆ କଣ୍ଟ୍ରୋଲ୍ରୁମ୍ ଖୋଲିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।






More Stories
ଜମ୍ମୁ କାଶ୍ମୀରରେ ଭୂକମ୍ପ…..
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……