Report Card Odisha

| Daily Odia News

ଉତ୍ତର ପ୍ରଦେଶ ସରକାରଙ୍କ ରିପୋର୍ଟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ,‘ଏସ୍‌ଆଇଟି’ତଦନ୍ତ ନିର୍ଦ୍ଦେଶ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସାତ୍ମକ ଘଟଣାରେ ଉତ୍ତର ପ୍ରଦେଶ ସରକାରଙ୍କ ଷ୍ଟାଟସ ରିପୋର୍ଟକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି | ଆଜି ଏହି ମାମଲାର ଶୁଣାଣିକରି ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କଦ୍ବାରା ‘ଏସ୍‌ଆଇଟି’ ତଦନ୍ତ ତଦାରଖ କରାଇବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ପ୍ରଧାନ ବିଚାରପତି ଏନ୍‌. ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଲେ, ଏହି ଘଟଣାର ‘ସିବିଆଇ’ ତଦନ୍ତ କରାଯିବ ନାହିଁ। ‘ସିବିଆଇ’ ସବୁ ସମସ୍ୟାର ସମାଧାନ ନୁହେଁ। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ମାମଲାର ତଦନ୍ତ କରାଇବା ସହ ପୃଥକ୍‌ ଚାର୍ଜସିଟ୍‌ ଦାଖଲ କରନ୍ତୁ ବୋଲି ଆମେ ଚାହୁଁଛୁ। ସଂଗୃହୀତ ପ୍ରମାଣ ସବୁ ସୁରକ୍ଷିତ ରଖାଯାଉ ବୋଲି ମଧ୍ୟ ଆମେ ଚାହୁଁଛୁ। ଅକ୍ଟୋବର ୩ ତାରିଖ ଦିନ ଘଟିଥିବା ଉକ୍ତ ଘଟଣା ଉପରେ ସୁପ୍ରିମ୍‌ କୋର୍ଟ ଆଜି ଶୁଣାଣି କରୁଥିଲେ। କୃଷକ ପ୍ରତିବାଦ ଚାଲିଥିବା ବେଳେ ହିଂସାକାଣ୍ଡ ଘଟି ସେଦିନ ୪ଜଣ କୃଷକଙ୍କ ସମେତ ୮ଜଣଙ୍କର ମୃତ୍ୟୁ ଘଟିଥିଲା। ଉତ୍ତର ପ୍ରଦେଶ ପ୍ରମାଣ ରେକର୍ଡ ପାଇଁ ଉତ୍ତର ପ୍ରଦେଶ ‘ଏସ୍‌ଆଇଟି’ ଅବଲମ୍ବନ କରିଥିବା ଉପାୟ ଉପରେ ଭରସା ନ ଥିବା କଥା ମଧ୍ୟ ସୁପ୍ରିମ୍‌ କୋର୍ଟ କହିଛନ୍ତି। ସୁପ୍ରିମ୍‌ କୋର୍ଟ କହିଛନ୍ତି, ପ୍ରତିବାଦରତ କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଯିବା ଏବଂ ଅଭିଯୁକ୍ତଙ୍କୁ ପିଟି ପିଟି ମାରିବା ଘଟଣାର ଯଥାର୍ଥ ତଦନ୍ତ କରାଯିବା ଉଚିତ। ଉଲ୍ଲେଖ ଯୋଗ୍ୟ- ଅକ୍ଟୋବର ୩ ତାରିଖରେ ଦ୍ରୁତଗତିରେ ଏସୟୁଭି ଚଢାଇ ଦିଆଯିବାରୁ ଚାରିଜଣ କୃଷକ ପ୍ରାଣ ହରାଇଥିଲେ । ଏହାପରେ ଉତ୍ତ୍ୟକ୍ତ କୃଷକଙ୍କ ଆକ୍ରମଣରେ ବିଜେପିର ଦୁଇ କର୍ମୀ, ଜଣେ ଡ୍ରାଇଭର ଏବଂ ସ୍ଥାନୀୟ ଜଣେ ସାମ୍ବାଦିକଙ୍କ ସମେତ ୪ ଜଣଙ୍କର ପ୍ରାଣହାନି ଘଟିଥିଲା । ଏହି ଘଟଣାର ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅକ୍ଟୋବର ୨୬ ତାରିଖରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଉତ୍ତ୍ୟକ୍ତ ଜନତାଙ୍କ ଦ୍ୱାରା ସାମ୍ବାଦିକ ଶ୍ୟାମସୁନ୍ଦରଙ୍କୁ ମାରିଦିଆଯିବା ଘଟଣାର ସ୍ଥିତିପତ୍ର ଦାଖଲ କରିବାକୁ କହିଥିଲେ । ଏହି ଘଟଣାର ସିବିଆଇ ସହିତ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ କରାଇବାକୁ ଦୁଇଜଣ ଆଇନଜୀବୀ ପ୍ରଧାନ ବିଚାରପତିଙ୍କ ନିକଟକୁ ପତ୍ର ଲେଖିବା ପରେ ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରୁଛନ୍ତି । ଏହି ଘଟଣାରେ ଏପର୍ଯ୍ୟନ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ସମେତ ଅନେକଙ୍କୁ ଗିରଫ କରାଯାଇସାରିଛି ।

Breaking News