ରିପୋର୍ଟ କାର୍ଡ / ଆଠଗଡ଼
ଆଠଗଡ଼ ବସ୍ ଷ୍ଟାଣ୍ତ ଭିତରେ ଗୋଟିଏ ପରିବାରର ୩ ଜଣକୁ ଚାପି ଦେଇଛି ଲକ୍ଷ୍ମୀ ବସ୍। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ଛୋଟ ପୁଅ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଠଗଡ଼ ଥାନା ଅନ୍ତର୍ଗତ ଧାଇପୁର ଗାଁର ମାନସ ପ୍ରଧାନ, ତାଙ୍କ ସ୍ତ୍ରୀ କାଜଲ ପ୍ରଧାନ ଓ ଦୁଇ ବର୍ଷର ଛୋଟ ପୁଅ ସନ୍ଧ୍ୟା ସମୟରେ ବସ୍ଷ୍ଟାଣ୍ତକୁ ନିଜ ବାଇକରେ ଆସିଥିଲେ। ଗୋଟିଏ ବସ୍ରେ ଆସୁଥିବା ପାର୍ସଲ ନେବାକୁ ସେମାନେ ଅପେକ୍ଷା କରିଥିଲେ। ଏହି ସମୟରେ ବସ୍ଷ୍ଟାଣ୍ତରେ ଗୋଟିଏ ଲକ୍ଷ୍ମୀ ବସ୍ ଧୁଆ ହେଉଥିଲା। ମାନସ ପ୍ରଧାନ ପାର୍ସଲ ପାଇଁ ଉକ୍ତ ବସ୍ ପଛ ପଟେ ଅପେକ୍ଷା କରି ରହିଥିଲେ। ହଠାତ୍ ଲକ୍ଷ୍ମୀ ବସର ଚାଳକା ଗାଡ଼ିକୁ ବ୍ୟାକ କରି ଦେବା ସହ ବାଇକରେ ଅପେକ୍ଷା କରିଥିବା ୩ ଜଣଙ୍କ ଉପରେ ମଡ଼ା ଦେଇଥିଲେ। ସେମାନେ ଚିତ୍କାର କରିଥିଲେ ମଧ୍ୟ ଡ୍ରାଇଭରଙ୍କୁ ଏହା ଶୁଭି ନଥିଲା। ପୂରା ପରିବାରକୁ କିଛି ବାଟ ଘୋଷାଡ଼ି ନେବା ପରେ ଗାଡ଼ିଟି ଅଟକି ଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାନସ, କାଜଲ ଓ ସେମାନଙ୍କ ପୁଅଙ୍କୁ ତୁରନ୍ତ ଆଠଗଡ଼ ହସ୍ପିଟାଲ ନେଇଥିଲା। ହେଲେ ସେଠାରେ ଡାକ୍ତର କାଜଲଙ୍କୁ ମୃତ ଘୋଷଣା କରିଛନ୍ତି। ଏବେ ମାନସ ଓ ତାଙ୍କ ପୁଅଙ୍କ ଚିକିତ୍ସା ଆଠଗଡ଼ ମେଡିକାଲରେ ଚାଲିଛି। ଉଭୟଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୋଲିସ ଆଠଗଡ଼ ଥାନାକୁ ଦୁର୍ଘଟଣା ଘଟାଇ ଥିବା ଲକ୍ଷ୍ମୀ ବସ୍କୁ ଆଣି ଘଟଣାର ଅଧିକ ତଦନ୍ତ କରୁଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..