Report Card Odisha

| Daily Odia News

ଆସୁଛି ଲଘୁଚାପ !…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲଘୁଚାପ ଏବେ ଦକ୍ଷିଣ ବିହାରରେ ସକ୍ରିୟ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇଛି। ଖରସ୍ରୋତା ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡ ଫେକଘାଟ, ଘାଟଶିଳା, ଜାମସେଦପୁର, ଜାମଶୋଳା ଘାଟ ଆଦି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଫଳରେ ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜରେ ହଠାତ ଜଳପତ୍ତନ ବୃଦ୍ଧି ପାଇଛି। ବ୍ୟାରେଜର ଜଳପତ୍ତନ ହ୍ରାସ ପାଇଁ କର୍ତ୍ତୃପକ୍ଷ ଗୁରୁବାର ୮ଟି ଫାଟକ ଖୋଲି ଦେଇଥିଲେ। ଫଳରେ ଏହି ୮ଟି ଫାଟକ ଦେଇ ୨.୭୦ଲକ୍ଷ କ୍ୟୁସେକ ପାଣି ସୁବର୍ଣ୍ଣରେଖା ନଦୀକୁ ନିଷ୍କାସିତ ହେଉଛି। ବ୍ୟାରେଜ ପାଣି ନଦୀକୁ ପ୍ରଭାବିତ ହେଉଥିବାରୁ ଗୁରୁବାର ରାତିରୁ ସୁବର୍ଣ୍ଣରେଖା ନଦୀର ତଳିଆ ଅଞ୍ଚଳ କୁହାଯାଉଥିବା ଉତ୍ତର ବାଲେଶ୍ବର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖାରେ ଏହା ଚଳିତ ବର୍ଷର ପ୍ରଥମ ବନ୍ୟା ବୋଲି କୁହାଯାଇଛି। ବନ୍ୟା ପରିସ୍ଥିତି ପାଇଁ ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକର ନଦୀକୂଳିଆ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଶୁକ୍ରବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉପରୋକ୍ତ ଜିଲ୍ଲାଗୁଡ଼ିକ ମଧ୍ୟରୁ କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଆସନ୍ତା ୨୪ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ୨୨ କିମ୍ବା ୨୩ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।

Breaking News