Report Card Odisha

| Daily Odia News

୧ କୋଟି ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଇଞ୍ଜିନିୟର୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜଣେ ସିଭିଲ୍‌ ୱାର୍କ କଣ୍ଟ୍ରାକ୍ଟର୍‌ଙ୍କର ପଡ଼ି ରହିଥିବା ‘ବିଲ୍‌’ ପାସ୍‌ କରିବା ଲାଗି ‘ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କର୍ପୋରେସନ୍‌’ର ଜଣେ ଇଞ୍ଜିନିୟର୍‌ ୧ କୋଟି ଟଙ୍କା ଲାଞ୍ଚ ନେଉଥିବା ବ‌େଳେ ଶନିବାର ଦିନ ନାଶିକ ୟୁନିଟ୍‌ ଦୁର୍ନୀତି ନିବାରଣ ବିଭାଗଦ୍ବାରା ଧରାପଡ଼ିଛନ୍ତି। ନାଶିକ ୟୁନିଟ୍‌ ଦୁର୍ନୀତି ନିବାରଣ ବିଭାଗର ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଶର୍ମିଷ୍ଠା ୱାଲାୱାକର୍‌ଙ୍କ ନେତୃତ୍ବରେ ଏହା ହେଉଛି ଚଳିତ ବର୍ଷର ସବୁଠୁ ଅଧିକ ଅର୍ଥରାଶି ଲାଞ୍ଚ ଧରାପଡ଼ିବା ଘଟଣା ବୋଲି ରାଜ୍ୟ ‘ଦୁର୍ନୀତି ନିବାରଣ ବ୍ୟୁରୋ’ କହିଛି। ଜଣେ କଣ୍ଟ୍ରାକ୍ଟର୍‌ଙ୍କଠାରୁ ୧ କୋଟି ଟଙ୍କା ଗ୍ରହଣ କରୁଥିବା ବେଳେ ଅହମଦନଗର ‘ଏମ୍‌ଆଇଡିସି’ ସହିତ ସମ୍ପୃକ୍ତ ଥିବା ସହକାରୀ ଇଞ୍ଜିନିୟର୍‌ ଅମିତ ଗାଏକ୍ବାଡ୍‌ଙ୍କୁ ଗିରଫ କରାଯାଇଛି। ଅପରାଧିକ ମାମଲା ରୁଜୁ ହେବାରୁ ତାଙ୍କ ଡେପୁଟି ଇଞ୍ଜିନିୟର୍‌ ଗଣେଶ ବାଗ୍‌ ଫେରାର୍‌ ହୋଇଯାଇଛନ୍ତି। ଗାଏକ୍‌ୱାଡ଼ ନିଜ ପାଇଁ ଓ ବାଗ୍‌ଙ୍କ ପାଇଁ ଉକ୍ତ ଲାଞ୍ଚ ଟଙ୍କା ନେଉଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଉକ୍ତ କଣ୍ଟ୍ରାକ୍ଟର୍‌ଙ୍କୁ ୩୧.୫୭ ପାଣି ପାଇପ୍‌ଲାଇନ୍‌ ବସାଇବା ପାଇଁ ଠିକା ଦିଆଯାଇଥିଲା। କଣ୍ଟ୍ରାକ୍ଟର୍‌ଙ୍କୁ କାମ ବାବଦ ଅର୍ଥର କିଛି ଅଂଶ ପେମେଣ୍ଟ୍‌ କରାଯାଇଥିଲେ ବି ଆଉ ୨.୬୬ କୋଟି ଟଙ୍କା ବାକି ପଡ଼ିଥିଲା। ବକେୟା ଅର୍ଥ ବାବଦକୁ ଇଞ୍ଜିନିୟର୍‌ ଲାଞ୍ଚ ମାଗୁଥିବା ଦର୍ଶାଇ ଛତ୍ରପତି ସମ୍ଭାଜୀନଗରବାସୀ ଉକ୍ତ ସରକାରୀ କଣ୍ଟ୍ରାକ୍ଟର୍‌ ନାଶିକ ଦୁର୍ନୀତି ନିବାରଣ ବିଭାଗରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ଶୁକ୍ରବାର ସନ୍ଧ୍ୟାରେ ଯୋଜନାମୁତାବକ ଚଢ଼ଉ କରାଯାଇଥିଲା। ଚଢ଼ଉ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲିଥିଲା। ତଦନ୍ତକାରୀମାନେ ଇଞ୍ଜିନିୟରଙ୍କଠାରୁ ନଗଦ ୧ କ‌ୋଟି ଟଙ୍କା ଜବତ କରିଥିଲେ।

Breaking News