Report Card Odisha

| Daily Odia News

ମୋଦି ଧୋଇଦେଲେ ଦୁର୍ନୀତି ପାପ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୋ ଘର ଭାଙ୍ଗିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନ ତଳେ ଏନ୍‌ସିପି ସମ୍ପର୍କରେ ମନ୍ତବ୍ୟ ଦେଇ ଜଳସେଚନ ଦୁର୍ନୀତିର ଅବତାରଣା କରିଥିଲେ। ସେ କେତେଜଣ ଏନ୍‌ସିପି ସହଯୋଗୀଙ୍କ ଦୁର୍ନୀତି ପାପକୁ ଧୋଇଦେଇଛନ୍ତି। ସେମାନଙ୍କୁ ଏବେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଭାବେ ସ୍ଥାନ ମିଳିଥିବାରୁ ମୁଁ ଖୁସି। ଏହାର ଶ୍ରେୟ ପ୍ରଧାନମନ୍ତ୍ରୀଙ୍କୁ ଦେଉଛି ବୋଲି ପୁତୁରା ଅଜିତ ପାଓ୍ବାରଙ୍କ ବିଦ୍ରୋହ ପରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ତାଚ୍ଛଲ୍ୟ କରିଛନ୍ତି। ପାଓ୍ବାର ଆହୁରି କହିଛନ୍ତି, ଏନ୍‌ସିପିକୁ କିପରି ପୁନର୍ଜୀବନ ଦିଆଯିବ ତାହା ତାଙ୍କୁ ଜଣାଅଛି। ରବିବାର ଯାହାସବୁ ଘଟିଗଲା, ତାକୁ ନେଇ ଅନେକେ ବିସ୍ମିତ ହୋଇପାରନ୍ତି। କିନ୍ତୁ ସେ ଆଦୌ ଚିନ୍ତିତ ହୋଇନାହାନ୍ତି। କାରଣ ପୂର୍ବରୁ ମଧ୍ୟ ତାଙ୍କର ଏଭଳି ଅନୁଭୂତି ରହିଛି। ଯଦି କେହି ଏନ୍‌ସିପିର ମାଲିକାନା ଦାବି କରୁଛନ୍ତି, ତେବେ ସେଥିରେ କିଛି ଅସୁବିଧା ନାହିଁ। ଆମେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମର୍ଥନ ଲୋଡ଼ିବୁ। ଆସନ୍ତା କାଲି ଜନସାଧାରଣ ଆମ ସପକ୍ଷରେ ଯିବେ। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକାଠି କରାଯିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଫୋନ୍‌ କରି ସମର୍ଥନ ଜଣାଇଛନ୍ତି। ସେହିପରି ନିଜ ଘନିଷ୍ଠ ସହଯୋଗୀ ପ୍ରଫୁଲ ପଟେଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ପାଓ୍ବାର ସଙ୍କେତ ଦେଇଛନ୍ତି। ଏନ୍‌ସିପି ଅଧ୍ୟକ୍ଷ ହିସାବରେ ମୁଁ ପ୍ରଫୁଲଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିଥିଲି। କିନ୍ତୁ ଅଜିତଙ୍କ ଶପଥ ଗ୍ରହଣ ବେଳେ ରାଜଭବନରେ ତାଙ୍କ ଉପସ୍ଥିତି ଦୁର୍ଭାଗ୍ୟଜନକ। ପ୍ରଫୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ ବୋଲି ପାଓ୍ବାର କହିଛନ୍ତି। ଜିତେନ୍ଦ୍ର ଅଓ୍ବଧ ବିରୋଧୀ ଦଳ ନେତା ଅଜିତ ପାଓ୍ବାରଙ୍କ ପଟ୍ଟ ପରିବର୍ତ୍ତନ ପରେ ଏନ୍‌ସିପି ଜିତେନ୍ଦ୍ର ଅଓ୍ବଧଙ୍କୁ ମହାରାଷ୍ଟ୍ର ବିରୋଧୀ ଦଳ ନେତା ନିଯୁକ୍ତ କରିଛି। ଏନ୍‌ସିପି ରାଜ୍ୟ ସଭାପତି ଜୟନ୍ତ ପାଟିଲ ମୁମ୍ବ୍ରା-କଲଓ୍ବା ବିଧାୟକ ଜିତେନ୍ଦ୍ରଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।

 

Breaking News