Report Card Odisha

| Daily Odia News

ଶୌଚାଳୟରେ ପ୍ରସ୍ତୁତ ଶିଙ୍ଗଡ଼ା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବର୍ଷରୁ ଅଧିକ କାଳ ହେବ ଶୌଚାଳୟରେ ଶିଙ୍ଗଡ଼ା ଏବଂ ଅନ୍ୟାନ୍ୟ ଜଳଖିଆ ପ୍ରସ୍ତୁତି କରୁଥିବା କଥା ଜାଣିବା ପରେ ନିକଟ ଅତୀତରେ ଜେଦ୍ଦାହ୍‌ ନଗରୀରେ ସାଉଦି ଆରବର ସରକାରୀ କର୍ତ୍ତୃପକ୍ଷମାନେ ଗୋଟାଏ ରେସ୍ତୋରାଁକୁ ବନ୍ଦ କରିଦେଇଛନ୍ତି। ଆଞ୍ଚଳିକ ଗଣମାଧ୍ୟମରୁ ତଥ୍ୟ ସଂଗ୍ରହ କରି ‘ଗଲ୍‌ଫ୍ ନିଉଜ୍’ ରିପୋର୍ଟ କରିଛି ଯେ, ପ୍ରାୟ ତିନି ଦଶନ୍ଧି ହେବ ଅତି ମାରାତ୍ମକ ପରିବେଶରେ ଖାଦ୍ୟ ପ୍ରସ୍ତୁତି କରୁଥିବା ବିଷୟରେ ସୂଚନା ପାଇବା ପରେ ଆବାସିକ ଅଟ୍ଟାଳିକାରେ ଥିବା ଉକ୍ତ ରେସ୍ତୋରାଁ ଉପରେ ଜେଦ୍ଦାହ୍‌ ମୁନିସପାଲିଟି ଚଢ଼ାଉ କରିଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଉକ୍ତ ରେସ୍ତୋରାଁ ଶୌଚାଳୟଗୁଡ଼ିକରେ ଜଳଖିଆ ଓ ଭୋଜନ ମଧ୍ୟ ପ୍ରସ୍ତୁତି କରେ। ଏହାଛଡ଼ା, ବ୍ୟବହାର ସମୟ ଅତିକ୍ରାନ୍ତ କରିଯାଇଥିବା ମାଂସ ଏବଂ ଛେନା ଆଦି ଖାଦ୍ୟ ସାମଗ୍ରୀରେ ଉକ୍ତ ରେସ୍ତୋରାଁ ଜଳଖିଆ ଓ ଭୋଜନ ପ୍ରସ୍ତୁତି କରୁଥିବା କଥା ଜେଦ୍ଦାହ୍‌ ପୌର ଅଧିକାରୀମାନେ ଜାଣିପାରିଛନ୍ତି। ଉପରୋକ୍ତ ସାମଗ୍ରୀଗୁଡ଼ିକ ମଧ୍ୟରୁ କେତେକ ୨ ବର୍ଷ ତଳୁ ‘ଏକ୍ସପାଇରି’ ହୋଇଯାଇଥିଲା। ରେସ୍ତୋରାଁରେ କୀଟପତଙ୍ଗ ଏବଂ ମୂଷା ଆଦି ଥିବା କଥା ମଧ୍ୟ ସେମାନେ ଦେଖିଥିଲେ। ୩୦ ବର୍ଷ ପୁରାତନ ଉକ୍ତ ରେସ୍ତୋରାଁର କର୍ମଚାରୀମାନଙ୍କର ‘ହେଲ୍‌ଥ୍‌ କାର୍ଡ’ ନ ଥିଲା। ଏହା ‘ରେସିଡେନ୍‌ସି ଆଇନ’ର ସ୍ପଷ୍ଟ ଉଲ୍ଲଂଘନ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଏବେ ସେ ରେସ୍ତୋରାଁଟିକୁ ବନ୍ଦ କରି ଦିଆଯାଇଛି।

Breaking News