ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡିଆ ମେଣ୍ଟକୁ ଏକପ୍ରକାର ପ୍ରତ୍ୟାଖ୍ୟାନ କରିଥିବା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ଆଜି ମେଣ୍ଟକୁ ନେଇ କୋହଳ ମନୋଭାବ ଦେଖାଇଛନ୍ତି। ରାଜ୍ୟରେ କଂଗ୍ରେସ ସହ ଆସନ ବୁଝାମଣା ବିଫଳ ହୋଇଥିବା ବେଳେ କଂଗ୍ରେସ, ଟିଏମ୍ସି ଏବଂ ବାମଦଳ ଏବେ ପୃଥକ ନିର୍ବାଚନ ଲଢ଼ୁଛନ୍ତି। ଏହି ମତଭେଦ ଭିତରେ ଆଜି ମମତା ଘୋଷଣା କରିଛନ୍ତି ଯେ ସାଧାରଣ ନିର୍ବାଚନ ପରେ ବିରୋଧୀ ମେଣ୍ଟ କ୍ଷମତାକୁ ଆସିଲେ ଟିଏମ୍ସି ଏହାକୁ ବାହାରୁ ସମର୍ଥନ ଦେବ। ‘ଆମେ ଇଣ୍ଡି ମେଣ୍ଟର ନେତୃତ୍ୱକୁ ସମର୍ଥନ କରିବୁ ଏବଂ ବାହାରୁ ସେମାନଙ୍କୁ ସବୁ ପ୍ରକାର ସହାୟତା ଦେବୁ ବୋଲି ମମତା କହିଛନ୍ତି। ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା, ବିଭିନ୍ନ କର୍ମନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିବା ସହ ଗରିବଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆମେ ଇଣ୍ଡି ମେଣ୍ଟ ନେତୃତ୍ବରେ ସରକାର ଗଠନ ହେଲେ ଏହାକୁ ପୂର୍ଣ୍ଣ ସମର୍ଥନ ଦେବୁ ବୋଲି ମମତା ଘୋଷଣା କରିଥିବାରୁ ଏହା ତାଙ୍କ ପରିବର୍ତ୍ତିତ ରାଜନୈତିକ ଆଭିମୁଖ୍ୟ ବୋଲି ଚର୍ଚ୍ଚା ହେଉଛି। ମମତା କହିଛନ୍ତି ଯେ ଇଣ୍ଡି ମେଣ୍ଟ କହିଲେ ରାଜ୍ୟର କଂଗ୍ରେସ ଦଳ କିମ୍ବା ବାମପନ୍ଥୀଙ୍କୁ ବୁଝାଏ ନାହିଁ, ଏହା ବିଚାରଧାରା ଆଧାରରେ ଗଠିତ ମିଳିତ ମଞ୍ଚ । ମମତାଙ୍କ ଏହି ବୟାନରୁ ରାଜ୍ୟରେ କଂଗ୍ରେସ ପ୍ରତି ତାଙ୍କର ଭିନ୍ନ ଆଭିମୁଖ୍ୟ ରହିବ ବୋଲି ଏଥିରୁ ସ୍ପଷ୍ଟ ହୋଇଯାଇଛି। ସୂଚନାଯୋଗ୍ୟ, ଦେଶର ୭୦ ପ୍ରତିଶତ ଆସନ ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ସରିଥିବା ବେଳେ ଏବେ ବି ଆହୁରି ୩ଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ଏହି ସମସ୍ତ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ନିର୍ବାଚନ ହେବ ଏବଂ ଏହା ପୂର୍ବରୁ ମମତା ଇଣ୍ଡି ମେଣ୍ଟକୁ ନେଇ ତାଙ୍କ ରଣନୀତିରେ ପରିବର୍ତ୍ତନର ସଙ୍କେତ କଂଗ୍ରେସରେ ଦ୍ବନ୍ଦ୍ବ ବଢ଼ାଇଛି। ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବହୁତ ବଡ଼ ବିଜୟ ଲକ୍ଷ୍ୟରେ ଅଗ୍ରସର ହେଉଥିବା ବିଜେପି ଏଥର ପଶ୍ଚିମବଙ୍ଗରେ ମଧ୍ୟ ବଡ଼ ସଫଳତା ପାଇବା ଆଶା ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟରେ ନିୟମିତ ବ୍ୟବଧାନରେ ପ୍ରଚାର ଜାରି ରଖିଛନ୍ତି ଏବଂ ଟିଏମ୍ସି ଓ କଂଗ୍ରେସ ଉପରେ କଡ଼ା ପ୍ରହାର କରୁଛନ୍ତି। ଆମିତ ଶାହ ଏବେ ‘ମିସନ୍ ବଙ୍ଗାଲ’ ଉପରେ ସ୍ବତନ୍ତ୍ର ଫୋକସ୍ କରୁଥିବା ଦେଖିବାକୁ ମିଳିଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……