ରିପୋର୍ଟ କାର୍ଡ / ଭୁବନେଶ୍ୱର
ମଣିପୁରରେ ଲାଗି ରହିଥିବା ଜାତିଆଣ ହିଂସା ଥମିବାର ନାଁ ନେଉନାହିଁ | ରବିବାର ୪ଜଣଙ୍କର ମୃତ୍ୟୁ ହୋଇଛି । ବିଷ୍ଣୁପୁର ଓ ଚୁରାଚାନ୍ଦପୁର ଜିଲ୍ଲା ଆଖପାଖ ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଛି । ବିଷ୍ଣୁପୁର ପୋଲିସ ଅଧୀକ୍ଷକ ହେସନାମ ବଲରାମ ସିଂହ କହିଛନ୍ତି ଯେ ଶନିବାର ବିଳମ୍ବିତ ରାତି ଅର୍ଥାଥ ରବିବାର ଭୋର ସମୟ ଖୁଜମାତାବି ଅଞ୍ଚଳରେ ମୈତେଇ ସମ୍ପ୍ରଦାୟର ଲୋକେ କରିଥିବା ବଙ୍କର ଉପରେ କୁକି ସମ୍ପ୍ରଦାୟର ଲୋକେ ଆକ୍ରମଣ କରିଥିଲେ। ହିଂସା ଆରମ୍ଭ ହେବା ଠାରୁ ଗ୍ରାମବାସୀମାନେ ନିଜର ସୁରକ୍ଷା ପାଇଁ ବଙ୍କର ତିଆରି କରି ରହିଥିଲେ। ମାତ୍ର କୁକି ବିଦ୍ରୋହୀମାନେ ଏହି ବଙ୍କର ଉପରେ ରାତି ଅଧିଆ ଆକ୍ରମଣ କରିଥିଲେ। ଫଳରେ ୪ଜଣଙ୍କର ମୃତ୍ୟୁ ହୋଇଛି। ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଇସ୍ତଫା ଦେବାର ନାଟକ ଶୁକ୍ରବାର ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ଏପରି ନାଟକ ପରେ ଶନିବାର ରାତିରେ ଆଇଟିଏଲଟି ବିଦ୍ରୋହୀମାନେ ଆକ୍ରମଣ ଘଟାଇଥିଲେ। ମେ ୩ ତାରିଖରୁ ମଣିପୁରରେ ଲାଗି ରହିଥିବା ହିଂସାରେ ୧୩୮ ଜଣ ଲୋକଙ୍କର ମୃତ୍ୟୁ ହେଲାଣି। ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେହିପରି ୬୦ହଜାରରୁ ଅଧିକ ଲୋକ ବାସହରା ହୋଇ ବିଭିନ୍ନ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି। ମଣିପୁରରେ ହିଂସାକୁ ପ୍ରୋତ୍ସାହନ ଦେବାରେ ଚୀନ୍ ସମ୍ପୃକ୍ତ ବୋଲି ଶିବସେନା (ଉଦ୍ଧବ ଠାକ୍ରେ) ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଏଥିସହ ଚୀନ୍ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ସାଂସଦ ସଞ୍ଜୟ ରାଉତ ଦର୍ଶାଇଛନ୍ତି ଯେ କେନ୍ଦ୍ର ଏବଂ ଉତ୍ତରପୂର୍ବ ରାଜ୍ୟରେ ବିଜେପି କ୍ଷମତାରେ ଅଛି; ଯେଉଁଠାରେ ମେ’ ୩ ତାରିଖରୁ ଜାତିଗତ ହିଂସା ଦେଖିବାକୁ ମିଳିଛି। ତେବେ ହିଂସା କାଣ୍ଡର ଯୋଜନା କିଏ କରିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି? ରାଜ୍ୟର ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଇସ୍ତଫା ଦିଅନ୍ତୁ ଏବଂ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି ରାଉତ କହିଛନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..