ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରର ବିଷ୍ଣୁପୁର ଏବଂ ଚୁରାଚାନ୍ଦପୁରରେ କୁକି ଏବଂ ମୈତେୟୀ ଗୋଷ୍ଠୀ ମଧ୍ୟରେ ଲାଗିଥିବା ସଂଘର୍ଷ ଓ ଗୁଳିମାଡ଼ରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ରାଜ୍ୟରେ ସାନି ହିଂସା ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଏବଂ ଏହା ଅତ୍ୟନ୍ତ ଭୟଙ୍କର ବୋଲି କହିଛନ୍ତି। ଶାନ୍ତି ରକ୍ଷା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଇତିମଧ୍ୟରେ ଚୁରାଚାନ୍ଦପୁର ଜିଲ୍ଲାର ଚିଙ୍ଗଫେଇ ଏବଂ ଖୌସାବୁଙ୍ଗ ଅଞ୍ଚଳରେ ଗୁଳିମାଡ଼ ହୋଇଛି। ଅଗଷ୍ଟ ୨୯ରେ ଖୋଇରେତଙ୍କ ଅଞ୍ଚଳରେ ପ୍ରବଳ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଗୁଳିମାଡ଼ରେ ଗାଁର ଜଣେ ସ୍ବେଚ୍ଛାସେବୀଙ୍କ ମୃତ୍ୟୁ ହୋଇଥିଲା। ସେହିଦିନ ଅନ୍ୟ ଜଣେ ବ୍ୟକ୍ତିଙ୍କର ବିଷ୍ଣୁପୁର ଜିଲ୍ଲାରେ ମୃତ୍ୟୁ ହୋଇଥିଲା। ଗୁରୁବାର ସୁରକ୍ଷାବାହିନୀ ଦ୍ବାରା ଚୁରାଚାନ୍ଦପୁର ଏବଂ ଇମ୍ଫାଲ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରୁ ୨୦ କେଜି ବିସ୍ଫୋରକ, ୩ ବନ୍ଧୁକ, ୨୦ ରାଉଣ୍ଡ୍ ଗୁଳି ଆଦି ସାମଗ୍ରୀ ଜବତ କରିଥିଲା। ମଣିପୁରର ବିଭିନ୍ନ ସ୍ଥାନରେ ପୁଣିଥରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବାପାଇଁ ପୋଲିସ ଲୋକମାନଙ୍କୁ ସୋସିଆଲ ମିଡିଆରେ ପ୍ରସାରିତ ବିଭିନ୍ନ ଗୁଜବକୁ ବିଶ୍ବାସ ନକରିବାପାଇଁ କହିଛି। ହିଂସା ପାଇଁ ଚୁରାଚାନ୍ଦପୁରର ବିଭିନ୍ନ ଅଞ୍ଚଳରେ ଆଇଟିଏଲଏଫ୍ (ଇଣ୍ଡିଜିନିୟସ ଟ୍ରାଇବାଲ ଲିଡର୍ସ ଫୋରମ୍) ଦ୍ବାରା ସମ୍ପୂର୍ଣ୍ଣ ସଟ୍ଡାଉନ୍ ଘୋଷଣା ହୋଇଛି। ଅଗଷ୍ଟ ୩୧ ତାରିଖରୁ ଏହା କାର୍ଯ୍ୟକାରୀ ହୋଇଛି। ଉଲ୍ଲେଖଯୋଗ୍ୟ, ମେ’ ୩ ତାରିଖରେ ମଣିପୁରରେ ହିଂସା ହେବା ପରଠାରୁ ରାଜ୍ୟରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ୫୦ ହଜାରରୁ ଅଧିକ ଲୋକ ବିସ୍ଥାପି ହୋଇଛନ୍ତି।
More Stories
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା…..
ଓଟିଇଟି ରେଜଲ୍ଟ ପ୍ରକାଶ….
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..