ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳିତ ବର୍ଷର ଶେଷ ମନ୍ କୀ ବାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ବିଭିନ୍ନ ପ୍ରସଙ୍ଗରେ ଭାରତର ସଫଳତାକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୨ରେ ଦେଶବାସୀଙ୍କ ଶକ୍ତି, ସେମାନଙ୍କ ସହଯୋଗ, ପ୍ରତିବଦ୍ଧତା ଏବଂ ସଫଳତା ଏତେ ବ୍ୟାପକ ଯେ ସବୁ କହିବା ସମ୍ଭବ ନୁହେଁ। ୨୦୨୨ ଏକ ପ୍ରେରଣାଦାୟୀ ବର୍ଷ ଥିଲା। ଏହି ବର୍ଷ ଭାରତ ତା’ର ସ୍ବାଧୀନତାର ୭୫ ବର୍ଷ ପୂର୍ଣ୍ଣ କରିଛି ଏବଂ ଏହି ବର୍ଷଠାରୁ ଅମୃତକାଳ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି,- ଆପଣମାନେ ଜାଣନ୍ତି ଟାଟା ମେମୋରିଆଲ ସେଣ୍ଟରରେ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯୋଗ ହେଉଛି ସ୍ତନ କର୍କଟ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପକାରୀ। ଆମେରିକାରେ ଅନୁଷ୍ଠିତ ସ୍ତନ କର୍କଟ ସମ୍ମିଳନୀରେ ଟାଟା ମେମୋରିଆଲ ସେଣ୍ଟର ପକ୍ଷରୁ ଏହି ଗବେଷଣାର ଫଳାଫଳ ଉପସ୍ଥାପନ କରାଯାଇଛି। ସେହିପରି ନ୍ୟୁରୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା ନିବନ୍ଧ ଅନୁଯାୟୀ ଯୋଗ ଦ୍ବାରା ମାଇଗ୍ରେନ୍ ରୋଗୀ ଉପକାର ପାଇଥାଏ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଳାଜ୍ବର, ରକ୍ତହୀନତା ଓ ଦୁର୍ବଳତା ପରି ରୋଗ ବୈଜ୍ଞାନିକମାନଙ୍କ ପ୍ରଚେଷ୍ଟା ଦ୍ବାରା ଦୂର ହେବାକୁ ବସିଛି। ନିକଟରେ ଭାରତର ୪ଟି ରାଜ୍ୟର ୫୦ରୁ ଅଧିକ ଜିଲ୍ଲାରେ ମାଛି କାମୁଡ଼ା ଦ୍ବାରା ବ୍ୟାପୁଥିବା କଳାଜ୍ବର ସଂକ୍ରମିତ ହୋଇଥିଲା। କିନ୍ତୁ ଏହି ଜ୍ବର ଏବେ କେବଳ ବିହାରର ମାତ୍ର ୪ଟି ଜିଲ୍ଲାରେ ସୀମିତ ରହିଛି। ଗଙ୍ଗା ବଞ୍ଚାଅ ଅଭିଯାନ ‘ନମାମି ଗଙ୍ଗେ’ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଅଭିଯାନକୁ ଜାତିସଂଘ ବିଶ୍ବର ପ୍ରମୁଖ ୧୦ଟି ପରିବେଶ ସୁରକ୍ଷା ଅଭିଯାନ ଭିତରେ ଅନ୍ୟତମ ଭାବେ ସ୍ବୀକୃତି ଦେଇଛି। ଗଙ୍ଗାର ଇକୋସିଷ୍ଟମ୍ ଅଧିକ ସ୍ବଚ୍ଛ ହେଉଥିବାରୁ ଅନ୍ୟାନ୍ୟ ଜୀବିକା ସୁବିଧା ମଧ୍ୟ ବୃଦ୍ଧି ପାଉଛି। ଜୈବବିବିଧତାକୁ ଆଖି ଆଗରେ ରଖି ‘ଜଳଜ ଆଜୀବିକା ମଡେଲ’ର ପ୍ରସ୍ତୁତି କରାଯାଇଛି। ୨୬ଟି ସ୍ଥାନରେ ପର୍ଯ୍ୟଟନ-ଭିତ୍ତିକ ବୋଟ୍ ସଫାରୀ ଆରମ୍ଭ କରାଯାଇଛି ବୋଲି ମୋଦୀ କହିଛନ୍ତି। ଖ୍ରୀଷ୍ଟମାସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଭୁ ଯିଶୁଙ୍କ ଜୀବନ ଓ ଶିକ୍ଷାକୁ ସ୍ମରଣ କରିବା ପାଇଁ ଅନୁରୋଧ କରିଛନ୍ତି। ଚୀନ୍ ସମେତ କେତେକ ଦେଶରେ କୋଭିଡ୍ ମାମଲା ବୃଦ୍ଧି ପାଇବାରେ ଲାଗିଥିବାରୁ ଭାରତୀୟମାନେ ନିରୋଗ ରହିବା ପାଇଁ ଆବଶ୍ୟକ ପଦକ୍ଷେପ ଓ ସତର୍କତା ଗ୍ରହଣ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଖ୍ରୀଷ୍ଟମାସ ଓ ନୂଆବର୍ଷରେ ବହୁ ଲୋକ ଛୁଟି ପାଇ ବିଭିନ୍ନ ଆଡ଼େ ବୁଲାବୁଲି କରିବାକୁ ଯିବେ। କିନ୍ତୁ ଏହି ସମୟରେ ମାସ୍କ ପିନ୍ଧିବା, ହାତ ଧୋଇବା, ପାରସ୍ପରିକ ଦୂରତା ରକ୍ଷା କରିବା ଏବଂ ଅନ୍ୟାନ୍ୟ କୋଭିଡ୍-ଉପଯୋଗୀ ନିୟମ ପାଳନ କରିବା ଉଚିତ। ଯେଉଁମାନେ ପ୍ରିକସନ ଡୋଜ୍ ନେଇନାହାନ୍ତି ସେମାନେ ଏହା ନେଇଯିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..