Report Card Odisha

| Daily Odia News

ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଭୁବନେଶ୍ୱର ମହାନଗର ନିଗମର ମେୟର ପଦ ପାଇଁ ଉପଜିଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଥିପାଇଁ କଂଗ୍ରେସ ଭବନରୁ ପୂର୍ବାହ୍ନରେ ଏକ ଶୋଭାଯାତ୍ରାରେ ମଧୁସ୍ମିତା ଆଚାର୍ଯ୍ୟ ବାହାରିଥିଲେ। କଂଗ୍ରେସର ଏହି ଶୋଭାଯାତ୍ରା ରାମ ମନ୍ଦିର, ହାଉସିଂବୋର୍ଡ, ରବୀନ୍ଦ୍ର ମଣ୍ଡପ ଛକ ଦେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟଙ୍କ ନିକଟରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପିସିସି ଉପ ସଭାପତି ଶିବାନନ୍ଦ ରାୟ, ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ, କଂଗ୍ରେସ ମହିଳା ନେତ୍ରୀ ରଶ୍ମି ମହାପାତ୍ର, ପିସିସି ସମ୍ପାଦକ ସୁବ୍ରତ ମହାପାତ୍ର, କୁସୁମ ପ୍ରଧାନ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ପ୍ରାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରାରେ ଯୋଗଦେଇଥିଲେ। କଂଗ୍ରେସ ପକ୍ଷରୁ ଭୁବନେଶ୍ବର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କଂଗ୍ରେସ ଟିକଟରେ ମଧୁସ୍ମିତା ଆଚାର୍ଯ୍ୟ ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବୀତା କରିବେ ବୋଲି ସୂଚନା ଦିଆଯାଇଛି। ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ। କଲେଜ ଜୀବନରେ ସେ ରାଜନୀତିରେ ଜଡ଼ିତ ଥିଲେ। ଭୁବନେଶ୍ବର କମଳା ନେହେରୁ କଲେଜର ଛାତ୍ରୀ ସଂସଦର ସଭାପତି ଭାବେ ବିଜୟୀ ହୋଇଥିଲେ। ସେହିପରି ମଧୁସ୍ମିତା ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ ସ୍ୱର୍ଗତ କାଙ୍ଗାଳି ପଣ୍ଡାଙ୍କ ବୋହୁ। କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ। ଏଥିସହ ସେ ବିଭିନ୍ନ ସମାଜ ସେବା କାର୍ଯ୍ୟରେ ଜଡିତ ରହିଥିଲେ। ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି। ସେଥିପାଇଁ ତାଙ୍କୁ ମେୟର ପ୍ରାଥୀ ଭାବେ ମନୋନୀତ କରାଯାଇଥିବା ସୂଚନା ମିଳିଛି।

Breaking News