ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମହାନଗର ନିଗମ ମେୟର ନିର୍ବାଚନକୁ ନେଇ ଜାରି ରହିଥିବା ବିବାଦର ଆଜି ଅନ୍ତ ଘଟିଛି। ଏମ୍ସିଡିର ମନୋନୀତ ସଦସ୍ୟମାନେ ମେୟର ନିର୍ବାଚନ ପାଇଁ ଭୋଟ୍ ଦେଇପାରିବେନି ବୋଲି ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। କୋର୍ଟ କହିଛନ୍ତି ମନୋନୀତ ସଦସ୍ୟମାନେ ମେୟର, ଉପମେୟର ଏବଂ ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ଭୋଟ୍ ଦେଇପାରିବେ ନାହିଁ। କେବଳ ନିର୍ବାଚିତ ସଦସ୍ୟମାନେ ମେୟରଙ୍କୁ ନିର୍ବାଚିତ କରିବେ। ଆପ୍ ନେତା ଶେଲ୍ଲି ଓବେରୟଙ୍କ ଦ୍ବାରା ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ରାୟ ଦେଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ୍ ନରସିଂହ ଏବଂ ଜଷ୍ଟିସ ଜେବି ପର୍ଦିୱାଲାଙ୍କ ଖଣ୍ଡପୀଠ ସମ୍ବିଧାନର ଧାରା ୨୪୩ ଆର୍ ଏବଂ ଦିଲ୍ଲୀ ପୌର ନିଗମ ଆଇନ, ୧୯୫୭ର ଧାରା ୩(୩) ଅଧୀନରେ ଏହି ରାୟ ଶୁଣାଇଛନ୍ତି। ଉକ୍ତ ଧାରା ଅଧୀନରେ ମନୋନୀତ ସଦସ୍ୟମାନଙ୍କର ଭୋଟ୍ ଦେବାର କୌଣସି ଅଧିକାର ନାହିଁ। କୋର୍ଟ କହିଛନ୍ତି, ଏମ୍ସିଡିର ପ୍ରଥମ ବୈଠକରେ ପ୍ରଥମେ ମେୟର ପଦ ପାଇଁ ନିର୍ବାଚନ ହେବ ଏବଂ ଏହି ନିର୍ବାଚନରେ ମନୋନୀତ ସଦସ୍ୟଙ୍କର ଭୋଟ୍ ଦେବା ଅଧିକାର ନାହିଁ। ମେୟର ନିର୍ବାଚନ ପରେ ମେୟର ପ୍ରିଜାଇଡିଂ କର୍ତ୍ତୃପକ୍ଷ ଭାବେ ଉପ ମେୟର ଏବଂ ଷ୍ଟାଣ୍ଡିଂ କମିଟି ନିର୍ବାଚନ କରିବେ। ଉକ୍ତ ନିର୍ବାଚନରେ ମଧ୍ୟ ମନୋନୀତ ସଦସ୍ୟମାନେ ଭୋଟ୍ ଦେଇପାରିବେନି। ଏମ୍ସିଡିର ପ୍ରଥମ ବୈଠକ ପାଇଁ ୨୪ ଘଣ୍ଟା ଭିତରେ ନୋଟିସ୍ ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏମ୍ସିଡିର ପ୍ରଥମ ବୈଠକରେ ମେୟର ନିର୍ବାଚନ ସଂକ୍ରାନ୍ତ ନୋଟିସରେ ବିସ୍ତୃତ ସୂଚନା ରହିବା ଉଚିତ ବୋଲି କୋର୍ଟ କହିଛନ୍ତି।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..