Report Card Odisha

| Daily Odia News

ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା କୋଚିଂ,୧୫ରୁ ଆବେଦନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଏକାଦଶ ଶ୍ରେଣୀରେ ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ପାଇଁ ମାଗଣାରେ ଦିଆଯିବ କୋଚିଂ । ଏନେଇ ସୋମବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁଯାୟୀ, ଏହି ଛାତ୍ରଛାତ୍ରୀଙ୍କୁ ମେଡିକାଲ (ନିଟ୍‌), ଆଇଆଇଟି, ଜେଇଇ (ଇଞ୍ଜିନିୟରିଂ) ଓ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ) ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ପାଇଁ କୋଚିଂ ଦିଆଯିବ । ଆସନ୍ତା ୧୫ ତାରିଖରୁ ଛାତ୍ରଛାତ୍ରୀମାନେ ଏଥିପାଇଁ ନାମ ପଞ୍ଜୀକରଣ କରିପାରିବେ । unacademy.com/scholarship/odisha-scholarship-testକୁ ଲଗ୍‌ଇନ୍ କରି ଅନ୍‌ଲାଇନ୍ ରେ ନାମ ପଞ୍ଜୀକରଣ କରିପାରିବେ । ଏହି ପଞ୍ଜୀକରଣ ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କର ପରୀକ୍ଷା କରିବା ପରେ କୋଚିଂ ପାଇଁ ମନୋନୟନ କରାଯିବ । ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାର ୫୦ % ଓ ହେବାକୁ ଥିବା ପ୍ରବେଶିକା ପରୀକ୍ଷାର ୫୦ % ମାର୍କକୁ ମିଶାଇ ଯୋଗ୍ୟତା ଭିତିରେ କୋଚିଂ ପାଇଁ ମେଧା ବିଦ୍ୟାର୍ଥୀଙ୍କୁ ଚୟନ କରାଯିବ । ଯେଉଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିବେ ସେମାନେ ଜାନୁଆରୀ ୧୫ ତାରିଖ ପୂର୍ବାହ୍ଣ ୧୧ଟାରେ ପ୍ରବେଶିକା ପରୀକ୍ଷା ଦେବେ । ସେହିଭଳି ଯେଉଁ ଛାତ୍ରଛାତ୍ରୀଙ୍କ ବାପାମା’ଙ୍କ ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ କମ୍ ସେମାନେ ଏଥିପାଇଁ ଆବେଦନ କରିପାରିବେ । +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପଢୁଥିବା ବିଦ୍ୟାର୍ଥୀଙ୍କୁ ସୁଯୋଗ ମିଳିବ । ୩୦ ଜିଲାରେ ୨୦୨୧-୨୨ ଶିକ୍ଷାବର୍ଷରେ ମୋଟ ୧ ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ମୋଟ ୩ ହଜାର ଛାତ୍ରଛାତ୍ରୀଙ୍କ ମେଧା ତାଲିକା ପ୍ରକାଶ ପାଇବ । ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀ କୋଚିଂରେ ସାମିଲ ନ ହେଲେ ୱେଟିଂ ଲିଷ୍ଟ୍ ରେ ଥିବା ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବ ।

Breaking News