ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଭେଷଜ ବିଜ୍ଞାନ ଜଗତକୁ ଚିଲିକାରୁ ମିଳିବ ଏକ ଅବଦାନ। କାରଣ ଚିଲିକା ଜଳରାଶିରେ ଭରି ରହିଥିବା ଏକପ୍ରକାର ଦଳରୁ ଚର୍ମ କର୍କଟ ରୋଗର ଉପଶମ ପାଇଁ ପ୍ରସ୍ତୁତ ହୋଇପାରିବ ଔଷଧ। ରେଭେନ୍ସା ବିଶ୍ବବିଦ୍ୟାଳୟର କିଛି ଗବେଷକ ଏହି ଦଳ ଉପରେ ଗବେଷଣା କରି ଏହା ଜାଣିବାକୁ ପାଇଛନ୍ତି। ଏପରିକି ସେମାନେ ଏ ନେଇ ଆବଶ୍ୟକ ପେଟେଣ୍ଟ ମଧ୍ୟ ହାସଲ କରିଛନ୍ତି। ସମଗ୍ର ବିଶ୍ବରେ ଚର୍ମ କର୍କଟ ରୋଗ ବଢ଼ି ଚାଲିଥିବା ବେଳେ ଚିଲିକାରେ ପ୍ରଚୁର ଭାବେ ବ୍ୟାପିଥିବା ‘ଚାରିଦଳ ବା ଚିଙ୍ଗୁଡ଼ିଆ ଦଳ’ରୁ ଏହି ରୋଗ ଉପଶମ ପାଇଁ ଏକ ପ୍ରକାର ମଲମ ପ୍ରସ୍ତୁତ ହୋଇପାରିବ। ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ଲୁନା ସାମନ୍ତଙ୍କ ନେତୃତ୍ବରେ ଚାରି ଜଣିଆ ଗବେଷକ ଦଳ ୨୦୧୪ ମସିହାରୁ ଏହି ଗୁଳ୍ମ ଜାତୀୟ ଦଳ ଉପରେ ଗବେଷଣା ଆରମ୍ଭ କରିଥିଲେ। ଏହି ଦଳରେ ଥିବା ଅନ୍ୟ ଗବେଷକମାନେ ହେଲେ ଡ. ସୌମ୍ୟରଞ୍ଜନ ଜେନା, ଡ. ଜ୍ୟୋସ୍ନାରାଣୀ ପ୍ରଧାନ ଓ ପ୍ରଫେସର ଶିବପ୍ରସାଦ ଅଧିକାରୀ। ଚିଲିକା ଜଳରାଶିରେ ଥିବା ଦଳ ସମ୍ପର୍କରେ ୭ ବର୍ଷର ନିରବଚ୍ଛିନ୍ନ ଅଧ୍ୟବସାୟ ଓ ଗବେଷଣା ପରେ ୨୦୨୧ରେ ଏହି ଗବେଷକମାନେ ଜାଣିବାକୁ ପାଇଲେ ଯେ ଏହି ଗୁଳ୍ମ ଜାତୀୟ ଦଳ ବା ‘ସି ଉଇଡ୍’ର ବୈଜ୍ଞାନିକ ନାମ ହେଉଛି ‘ଗ୍ରାସିଲାରିଆ ଭେରୁକସା’। ଏହି ଦଳରେ ମାଇକ୍ରୋସ୍ପନ୍ ଓ ଆମିନୋ ଏସିଡ୍ ଭଳି ଉପାଦାନ ରହିଛି ଯାହା ଚର୍ମ କର୍କଟ ରୋଗର ଚିକିତ୍ସାରେ ଅତ୍ୟନ୍ତ ଉପାଦେୟ ହୋଇପାରିବ। ସଂପୃକ୍ତ ଗବେଷକ ଦଳ ଏହି ତଥ୍ୟକୁ ପେଟେଣ୍ଟ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ୨୦୨୧ରେ ଦାଖଲ କରିଥିଲେ। ତେବେ ଚଳିତ ଫେବ୍ରୁଆରି ମାସରେ ଏଥିପାଇଁ କେନ୍ଦ୍ରର ଅନୁମୋଦନ ମିଳିଛି। ଏ ସଂପର୍କରେ ଗବେଷକ ଡ. ଜେନା କହିଛନ୍ତି, ଯେ ଚିଲିକାରେ ଥିବା ଏହି ଚାରିଟି ଦଳ ପ୍ରଚୁର ଭାବେ ରହିଛି। ଚିଲିକା କୂଳରେ ଥିବା ମଙ୍ଗଳାଯୋଡ଼ି ବାର୍ଡ ଭିୟୁ ରିସର୍ଟର ଟ୍ରଷ୍ଟି ତଥା ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ମାନସ ପ୍ରଧାନ ମଧ୍ୟ ବିଗତ ଦିନରେ ଚିଲିକା ଉପକୂଳରେ ବାସ କରୁଥିବା ମଇଁଷିମାନଙ୍କ କ୍ଷୀରରେ ଥିବା ଏକପ୍ରକାର ଏସିଡ୍ ଚର୍ମ କର୍କଟ ରୋଗ ପାଇଁ ପ୍ରତିଷେଧକ ଲୋସନ ଭାବରେ ବ୍ୟବହୃତ ହୋଇପାରିବ ବୋଲି ଏକ ଗବେଷଣାରୁ ଜଣାପଡ଼ିଥିବା କହିଛନ୍ତି। ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ. ବିନିତ କୁମାର ଜେନା କହିଛନ୍ତି ଚର୍ମ କର୍କଟ ଚିକିତ୍ସା କ୍ଷେତ୍ରରେ ଚିଲିକାର ଏହି ବିରଳ ଚିଙ୍ଗୁଡ଼ିଆଦଳ ରାଜ୍ୟ ପାଇଁ ଗୌରବ ଆଣିବ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….