Report Card Odisha

| Daily Odia News

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା: ଲୋକାୟୁକ୍ତଙ୍କ ଏସ୍‌ଏଲ୍‌ପି ଶୁଣାଣି ୨ ସପ୍ତାହ ଘୁଞ୍ଚିଲା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁପ୍ରିମକୋର୍ଟରେ ଓଡ଼ିଶା ଲୋକାୟୁକ୍ତଙ୍କ ଦ୍ବାରା ଦାଖଲ କରାଯାଇଥିବା ଏସ୍‌ଏଲ୍‌ପିର ଶୁଣାଣିକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଉଛି। ଗୁରୁବାର ବିଚାରପତି ଜଷ୍ଟିସ୍‌ ଅଜୟ ରସ୍ତୋଗି ଏବଂ ବିଚାରପତି ଅଭୟ ଏସ୍‌ ଓକାଙ୍କ ଖଣ୍ଡପୀଠରେ ଧାର୍ଯ୍ୟ କରାଯାଇଥିବା ଶୁଣାଣିକୁ ପ୍ରତିପକ୍ଷ ଓକିଲଙ୍କ ଅନୁରୋଧ କ୍ରମେ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବି‌ରୋଧରେ ଓଡ଼ିଶା ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରୋକ ଲଗାଇଥି‌ଲେ। ଏହାକୁ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ଦ୍ବାରା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଚଳିତ ବର୍ଷ ଏପ୍ରିଲ ୨୩ରେ ସୁପ୍ରିମକୋର୍ଟ ଏହା ଉପରେ ରହିତାଦେଶ ଲଗାଇଥି‌ଲେ। ଏହା ପରେ ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ଆଦେଶକୁ ଜାଲିଆତି କରାଯିବା ଅଭିଯୋଗ କରି ଲୋକାୟୁକ୍ତଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ଆବେଦନ କରାଯାଇଥିଲା। ଗତ ଶୁଣାଣିରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ।

Breaking News