Report Card Odisha

| Daily Odia News

ଆଜି ଓଡ଼ିଶାର ୧୨ ସ୍ଥାନରେ ହେବ ମକ୍‌ଡ୍ରିଲ୍‌….

ରିପୋର୍ଟକାର୍ଡ / ଭୁବନେଶ୍ବର

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କ ଆତ୍ମରକ୍ଷାକୁ ଗୁରୁତ୍ବ ଦିଆଯାଇଛି। କୌଣସି ପରିସ୍ଥିତିରେ ଶତ୍ରୁପକ୍ଷ ଆକ୍ରମଣରୁ ଜୀବନ ରକ୍ଷା ଲାଗି ଭାରତ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି। ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମରେ ଏହି ମକ୍‌ଡ୍ରିଲ୍‌ କରାଯିବ। ଲୋକଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ସଚେତନ ଓ ସୁରକ୍ଷା ପ୍ରଦାନ ପାଇଁ ଏହି ମକ୍‌ଡ୍ରିଲ୍‌ କରାଯାଉଛି। ଶତ୍ରୁ ଆକ୍ରମଣ ସ୍ଥିତିରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଆଜି ଓଡ଼ିଶାର ୧୨ ଜିଲ୍ଲାରେ ଏହି ମକ୍‌ଡ୍ରିଲ କରାଯିବ। ଅନୁଗୋଳ, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଜଗତସିଂହପୁର, ଢେଙ୍କାନାଳ, ପୁରୀ, କୋରାପୁଟ, ସୁନ୍ଦରଗଡ଼ ଓ ସମ୍ବଲପୁର | ଅପରାହ୍ଣ ୪ଟାରେ ନିର୍ଦ୍ଧାରିତ ଜିଲାରେ ସାଇରନ ବାଜିବ। ୫ ମିନିଟ୍‌ ଧରି ସାଇରନ ବାଜିବା ମାତ୍ରେ ଲୋକେ ସୁରକ୍ଷିତ ସ୍ଥାନକୁ କିପରି ଯିବେ ତାହାର ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହେବ। ୪୮୦ କି.ମି ବେଳାଭୂମିରେ ଲାଗିଥିବା ସାଇରନକୁ ମଧ୍ୟ ବଜାଯିବ। ଏହି ମକ୍‌ଡ୍ରିଲ୍‌ ୭ ଦିନ ଧରି ଚାଲିବ। ବୁଧବାର କିଛି ସହରାଞ୍ଚଳରେ କରାଯିବ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) ଉପକୂଳ ଅଞ୍ଚଳରେ ଥିବା ପ୍ରାକୃତିକ ବିପର୍ଯ୍ୟୟ ସାଇରନ ବଜାଇବ। ଶତ୍ରୁ ବିମାନ ଆକ୍ରମଣ ସମୟରେ ସାଇରନ ବଜେଇ ସାଧାରଣ ଲୋକଙ୍କୁ ସତର୍କ କରିବା ଏହି ମକ୍‌ଡ୍ରିଲ୍‌ର ଲକ୍ଷ୍ୟ। ପ୍ରଥମ ଦିନରେ ଶତ୍ରୁପକ୍ଷରୁ ଆକାଶମାର୍ଗରୁ ବୋମା ବର୍ଷଣ ହେଲେ କିପରି ଆତ୍ମରକ୍ଷା କରିବେ ତାହାର ମକ୍‌ଡ୍ରିଲ୍‌ ‌କରାଯିବ। ଏହି ସମୟରେ କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ, ତା’ର କିପରି ମୁକାବିଲା କରାଯିବ, ସେନେଇ ମଧ୍ୟ ବେସାମରିକ ସୁରକ୍ଷା ଅର୍ଥାତ ସିଭିଲ ଡିଫେନ୍ସ ପକ୍ଷରୁ ମକ୍‌ଡ୍ରିଲ୍‌ କରାଯିବ। ‌ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏଥିନେଇ ବୈଠକ ଅନୁଷ୍ଠିତ ହୋଇଛି।

Breaking News